ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଭିଲ୍ ଟାଉନ୍ସିପ୍ର ଏଲ୍-ବ୍ଲକ୍ ସ୍ଥିତ ଏକ ଘରେ ଅତର୍କିତ ଚଢ଼ାଉ କରି ଏହି ବେଆଇନ କାର୍ଯ୍ୟର ପର୍ଦ୍ଦାଫାଶ କରିଛି । ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ସମୟରେ ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏହି ରାକେଟ୍ର ମୁଖ୍ୟ ଅଭିଯୁକ୍ତ (କିଙ୍ଗପିନ୍) ସମେତ ମୋଟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଅଟକ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ସନ୍ଦିଗ୍ଧ ଗ୍ରାହକ ଏବଂ ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ବୟସ୍କା ମହିଳା ସାମିଲ ଅଛନ୍ତି । ଅଭିଯୋଗ ହୋଇଛି ଯେ ଏହି ବ୍ୟକ୍ତିମାନେ ଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ଦେହବ୍ୟାପାର ଭଳି ବେଆଇନ ତଥା ଘୃଣ୍ୟ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଏକ ଆବାସିକ ଅଞ୍ଚଳରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରଘୁନାଥପାଲୀ ପୋଲିସ ପକ୍ଷରୁ ତଦନ୍ତକୁ ଜୋର୍ଦାର କରାଯାଇଛି । ଏହି ସେକ୍ସ ରାକେଟ୍ର ଚେର କେଉଁଆଡ଼େ ଲମ୍ବିଛି ଏବଂ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତନାଘନା ଚଳାଇଛି । ଅଟକ ଥିବା ସମସ୍ତ ସନ୍ଦିଗ୍ଧଙ୍କୁ କଡ଼ା ପଚରାଉଚରା କରାଯାଉଛି । ବର୍ତ୍ତମାନ ପୋଲିସର ଛାନ୍ଭିନ୍ ଜାରି ରହିଥିବା ବେଳେ ଆଗାମୀ ସମୟରେ ଏହି ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ନେଇ ଅପେକ୍ଷା କରାଯାଇଛି।

