ଯୌନ ଶିକ୍ଷା,ବଳାତ୍କାର ପରେ ଗର୍ଭପାତ ପାପ: ଆର୍ଜେଣ୍ଟିନାର ନୂଆ ରାଷ୍ଟ୍ରପତିଙ୍କ ଚିନ୍ତାଧାରା…

ବ୍ୟୁନସ ଆରିସ୍‌,୨୦।୧୧ : ଆର୍ଜେଣ୍ଟିନାର ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣପନ୍ଥୀ ନେତା ଜାଭିୟର ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଏହା ସହ ସେ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସର୍ଜିଓ ମାସା ୪୪.୨ ଭୋଟ ପାଇଛନ୍ତି। ଜାଭିୟର୍‌ ଆର୍ଜେଣ୍ଟିନା ପାର୍ଟି ଲା ଲିବର୍ଟାଡ ଆଭାନଜାର ନେତା ଅଟନ୍ତି। ନିର୍ବାଚନ ସମୟରେ ସେ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଆର୍ଥିକ ସଙ୍କଟରେ ପୀଡିତ ଆର୍ଜେଣ୍ଟିନାରେ ସେ ବ୍ୟାପକ ପରିବର୍ତ୍ତନ ଆଣିବେ। ଏହା ସହିତ ମିଲଇ ରାଜନୈତିକ ସଂସ୍କାର ଆଣିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ପେରୋନିଷ୍ଟ ଆନ୍ଦୋଳନ ପକ୍ଷରୁ ସର୍ଜିଓ ମାସା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ଦଳ ଗତ ୧୬ ବର୍ଷ ଧରି ଦେଶ ଶାସନ କରୁଥିଲା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମାସା ତାଙ୍କ ବିବୃତ୍ତିରେ କହିଛନ୍ତି ଆର୍ଜେଣ୍ଟିନାବାସୀ ଆଉ ଏକ ରାସ୍ତା ବାଛିଛନ୍ତି। ମାସା କହିଛନ୍ତି ସେ ଶୀଘ୍ର ସକ୍ରିୟ ରାଜନୀତିରୁ ଅବସର ନେବେ। ଜାଭିୟର୍‌ ଜଣେ ଦକ୍ଷିଣପନ୍ଥୀ ନେତା ଏବଂ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଦୃଢ଼ ସମର୍ଥକ ଭାବରେ ବିବେଚିତ ହୋଇଥାନ୍ତି।

ମିଲଇ ଗର୍ଭପାତର ଏକ ଦୃଢ଼ ବିରୋଧୀ ଅଟନ୍ତି। ବଳାତ୍କାର ମାମଲାରେ ମଧ୍ୟ ସେ ଗର୍ଭପାତକୁ ଭୁଲ ବୋଲି ଭାବନ୍ତି। ତାଙ୍କ ନିର୍ବାଚନ ପ୍ରଚାରରେ ସେ ଗର୍ଭପାତକୁ ଆଇନଗତ କରୁଥିବା ୨୦୨୦ ଆଇନ ଉପରେ ମତ ସଂଗ୍ରହ କରିବା ବିଷୟରେ କହିଥିଲେ। ଏହା ବ୍ୟତୀତ ମିଲଇ ଯୌନ ଶିକ୍ଷାକୁ କଠୋର ସମାଲୋଚନା କରିଥିଲେ। ସେ ଏହାକୁ ବ୍ରେନ ଓ୍ବାଶ୍‌ର ଏକ ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯୌନ ଶିକ୍ଷା ମାନବ ଅଙ୍ଗ ଚୋରା କାରବାରକୁ ପ୍ରୋତ୍ସାହିତ କରିଥାଏ।

Share