ନେପାଳର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରବଳ ଥଣ୍ଡା, ୫ ମୃତ

କାଠମାଣ୍ଡୁ,୧୯।୧୧: ନେପାଳର ଭୂକମ୍ପ ପ୍ରଭାବିତ ଜାଜରକୋଟ ଜିଲାରେ ପ୍ରବଳ ଥଣ୍ଡା ହେତୁ ଅସ୍ଥାୟୀ ତମ୍ବୁରେ ରହୁଥିବା ଦୁଇ ମହିଳାଙ୍କ ସମେତ ୫ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ରବିବାର ପୋଲିସ କହିଛି ଯେ ୩ଜଣ ବୃଦ୍ଧଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଶୁକ୍ରବାର ମତ୍ୟୁ ଘଟିଛି।
ପୋଲିସ କହିଛି ଯେ ଚଳିତ ମାସ ଆରମ୍ଭରେ ଜିଲାରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ସେମାନେ ବାସହୀନ ହୋଇପଡିଥିବାରୁ ସମସ୍ତ ୫ଜଣ ବୃଦ୍ଧ ପୃଥକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୩ ରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଜାଜରକୋଟରେ ୧୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇଯାଇଥିଲେ।
ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପରେ ସେମାନଙ୍କ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଜାଜରକୋଟରେ ୩୪,୦୦୦ରୁ ଅଧିକ ପରିବାର ଅସ୍ଥାୟୀ ତମ୍ବୁ ତଳେ ରହୁଛନ୍ତି। କଠିନ ପରିସ୍ଥିତିରେ ଯେଉଁମାନେ ଅଧିକ ଅସୁରକ୍ଷିତ, ସେମାନେ ଶିଶୁ, ପ୍ରସୂତି, କ୍ରନିକ ରୋଗରେ ପୀଡିତ ରୋଗୀ ଏବଂ ବୃଦ୍ଧାବୃଦ୍ଧଙ୍କୁ ଅନ୍ତର୍ଭୁକ୍ତ କରନ୍ତି।

Share