ପୋଲରେ ପିଟି ହେବାରୁ ଯାତ୍ରୀବାହି ବସରେ ଲାଗିଲା ନିଆଁ: ୨୦ ମୃତ

ରିୟାଦ,୨୮ ।୩: ସୌଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୋମବାର ଏକ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହେବାରୁ ଅତିକମରେ ୨୦ ଜଣଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ସୌଦି ଅରବର ସରକାରୀ ମିଡିଆ କହିଛି ଦୁର୍ଘଟଣାରେ ଆଉ ୨୯ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ତୀର୍ଥଯାତ୍ରୀ ରହିଛନ୍ତି, ଏମାନେ ପବିତ୍ର ରମଜାନ ମାସରେ ଉମରା(ଇସଲାମ ଧର୍ମରେ ଏକ ପ୍ରକାର ପୂଜା) କରିବାକୁ ମକ୍କା ସହର ଯାଉଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ପୋଲରେ ପିଟିହେବା ପରେ ବସଟି ଓଲଟି ଯାଇଥିଲା ଓ ସେଥିରେ ନିଆଁ ଲାଗି ଯାଇଥିଲା । ଘଟଣାର ଫୁଟେଜ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ବସଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଉଥିବା ଦେଖାଯାଇଥିଲା । କୁହାଯାଉଛି କି ଦୁର୍ଘଟଣା ୟମନ ସୀମାକୁ ଲାଗିଥିବା ଦକ୍ଷିଣ-ପଶ୍ଚିମ ଅସିର ଅଞ୍ଚଳରେ ବସର ବ୍ରେକ ଫେଲ ହେବା କାରଣରୁ ହୋଇଛି । ଏହି ଦୁର୍ଘଟଣା ରମଜାନର ପ୍ରଥମ ସପ୍ତାହରେ ହୋଇଛି ।

Share