ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭୧ ପ୍ରତିଶତ: ସିଏମ୍‌ସି କମିଶନର

କଟକ ଅଫିସ,୨୬ା୭-କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହରେ ମୋଟ୍‌ ଚିହ୍ନଟଙ୍କ ମଧ୍ୟରୁ ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭୧ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି। କଟକ ସହର ଜନଗହଳିପୂର୍ଣ୍ଣ ହୋଇଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି, ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଗୋଟିଏ ପରିବାର କିମ୍ବା ପଡ଼ୋଶୀ ରହିଛନ୍ତି। ପରିବାର ଭିତରେ ସଂକ୍ରମଣ ବ୍ୟାପୁଥିବାରୁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କ୍ଲଷ୍ଟର୍‌ ଚିହ୍ନଟ କରାଯାଇ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଉଛି ବୋଲି କମିଶନର ଅନନ୍ୟା ଦାସ କହିଛନ୍ତି।
ଗତ ୧୯ରୁ ୨୪ ତାରିଖ ଭିତରେ ସହରରେ ୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୭ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ନିଜ ପରିବାର ସଦସ୍ୟ, ପଡ଼ୋଶୀ ଓ ସହକର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ୩୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ବାହାର ରାଜ୍ୟ ଓ ୨୫ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ରହିଛନ୍ତି। କେତେକ କ୍ଲଷ୍ଟର୍‌ରେ ଗୋଟିଏ ପରିବାର ଓ ପଡ଼ୋଶୀଙ୍କୁ ମିଶାଇ ପ୍ରାୟ ୪୦ ଆକ୍ରାନ୍ତ ହୋଇଛନ୍ତି। ଏଣୁ ପରିବାରରେ ବୟସ୍କ ଓ ଶିଶୁଙ୍କ ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଆଯାଉଛି।