ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା ବିନିମୟରେ ଶନିବାର ବରଗଡ଼ ସହର ବିଜୁ ପଟ୍ଟନାୟକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି ଆଦର୍ଶ ଗଣବିବାହ। ୭ଯୋଡି ବରକନ୍ୟା ପରସ୍ପରକୁ ଜୀବନସାଥୀଭାବେ ଗ୍ରହଣ କରି ନେଇଥିଲେ। ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତୀ ଅବସରରେ ବାବା ସାହେବ ଆମ୍ବେଡକର ଚାରିଟେବଲ ଟ୍ରଷ୍ଟ ଆୟୋଜନ କରିଥିଲା ଏହି ନିଆରା କାର୍ଯ୍ୟକ୍ରମ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ୭ଯୋଡି ବରକନ୍ୟା ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲକୁ ପହଞ୍ଚତ୍ ଥିଲେ। ବାଜାଗଜା ସହିତ ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସ୍ବାଗତ କରାଯାଇଥିଲା। ବନ୍ଦନା ମେହେର ଓ ହିମାଂଶୁ ଶେଖର ମେହେର କନ୍ୟା ମାତା଼ପିତା ହୋଇଥିଲେ। ସେହିପରି ଅନ୍ନପୂର୍ଣ୍ଣା ବାରିକ ଓ ଅଚ୍ୟୁତାନନ୍ଦ ବାରିକ ବର ମାତାପିତା ହୋଇଥିଲେ। ଅତିଥି ଏବଂ ଶୁଭେଚ୍ଛୁଙ୍କ ଗହଣରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବରକନ୍ୟା ପରସ୍ପର ଫୁଲମାଳ ଆଦାନ ପ୍ରଦାନ କରିଥିଲେ।
ବରପକ୍ଷ ଓ କନ୍ୟାପକ୍ଷ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଶୁଭେଚ୍ଛୁମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ସହିତ ଉପହାର ଦେବା ପରେ ଆଦର୍ଶ ଗଣବିବାହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟର ଚେୟାରମ୍ୟାନ ଗୁଣମଣି ସୁନାନୀ ଅଧ୍ୟକ୍ଷତା କରିଥିବାବେଳେ ଗୁଜରାଟ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଅଧିକାରୀ ରାକେଶ ଚୌହାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ନିହାଲ ସିଂ, ଲଙ୍କେଶ ରାବଣ, ସୁନିତଖ ବାଗ, ବରଗଡ଼ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଭେଡେନ ବିଡିଓ କର୍ଣ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ୨୦ବର୍ଷ ହେଲା ଏଠାରେ ପ୍ରତିବର୍ଷ ଏଭଳି ଆଦର୍ଶ ଗଣ ବିବାହ ହୋଇ ଆସୁଛି। ଆୟୋଜକଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
Dharitri – Odisha’s No.1 Odia Daily

