୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ ବିଭାଗ ପକ୍ଷରୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାହାରି ମଧ୍ୟ ସଟେଲମେଣ୍ଟ ଜମି ଓ ଘରର ପଟ୍ଟା ନଥିବାରୁ ପୂର୍ବରୁ ଜମି କ୍ରୟ ଦଲିଲ(ଦସ୍ତାବିଜ),ଖଜଣା,ପାଉତି ରସିଦ ପ୍ରାଥମିକ ସେବା ସମବାୟ ସମିତିରେ ଦାଖଲ କରି ନିଜ ନିଜର ନାଁକୁ ରେଜିଷ୍ଟ୍ରେଶନ କରି କୃଷିଋଣ, ଆବଶ୍ୟକୀୟ ସାର ନେବା ସହ ମଣ୍ଡିରେ ଧାନ ବିକ୍ରୟ କରୁଥିଲୁ। ଘର ପୋଡ଼ି ଓ ବନ୍ୟା ବାତ୍ୟାରେ ବହୁ ବ୍ୟକ୍ତିଙ୍କ ଜମି କ୍ରୟ ଦଲିଲ (ଦସ୍ତାବିଜ) ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ନିଜ ନିଜ ଜମିର ଖଜଣା,ପାଉତି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଦାଖଲ କରି ସେଠାରୁ ପାଉଥିବା ରସିଦ ଦ୍ୱାରା ସମବାୟ ସମିତି ଧାନମଣ୍ଡିରେ ନାଁ ରେଜିଷ୍ଟ୍ରେଶନ କରି ନିର୍ଦ୍ଧାରିତ ଅମଳ ଧାନ ବିକ୍ରି କରୁଥିଲୁ। ଚଳିତ ବର୍ଷ କର୍ତ୍ତୃପକ୍ଷ ପଟ୍ଟା ନଥିଲେ ଧାନ ମଣ୍ଡିରେ ନାମ ରେଜିଷ୍ଟ୍ରେଶନ ହୋଇପାରିବ ନାହିଁ ବୋଲି ଆଇନ ହୋଇଥିବା ଦର୍ଶାଇ କୌଣସି ଚାଷୀଙ୍କ ନାଁ ମଣ୍ଡିରେ ରେଜିଷ୍ଟ୍ରେଶନ କରୁନାହାନ୍ତି। ଚାଷୀଙ୍କ ପଟ୍ଟା,ଦସ୍ତାବିଜ ନଥିବାରୁ ରାଜସ୍ବ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଜମିର ଖଜଣା,ପାଉତି ରସିଦ ଦ୍ୱାରା ସମବାୟ ସମିତି ଧାନମଣ୍ଡିରେ ସମସ୍ତ ଚାଷୀଙ୍କ ନାଁରେ ରେଜିଷ୍ଟ୍ରେଶନ ପାଇଁ ନିର୍ଦ୍ଦେଶ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଜରିଆରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାର ନକଲ ବ୍ରହ୍ମପୁର ଉପଜିଲାପାଳ,ତହସିଲଦାର ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଦିଗପହଣ୍ଡି ବ୍ଳକର ଆଙ୍କୋରଡା ଗ୍ରାମ ମୌଜାର ସର୍ଭେ ସେଟଲମେଣ୍ଟ ଗତ ୧୯୫୧ରେ ମା ମାଡ୍ରାସ ଲେଣ୍ଡ ଆକ୍ଟ ୧୯୦୮ ପ୍ରକାରେ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶା ସେଟଲମେଣ୍ଟ ଆକ୍ଟ ୧୯୭୬ ପ୍ରକାରେ ଦ୍ୱିତୀୟ ସେଟଲମେଣ୍ଟ କରାଯାଇନାହିଁ। ସେଟଲମେଣ୍ଟ ହୋଇନଥିବା ଯୋଗୁ ଗ୍ରାମବାସୀମାନେ ଆବଶ୍ୟକ ସମୟରେ ସେମାନଙ୍କ ଜମି, ଘରବାରି ପଟ୍ଟା ବନ୍ଧକ ରଖି ବ୍ୟାଙ୍କରୁ ଋଣ , ସ୍ବାସ୍ଥ୍ୟସେବା , ଝିଅ ବିବାହ ଭଳି ଅର୍ଥାଭାବ ସମୟରେ ସେମାନେ ଜମି ବିକ୍ରି କିମ୍ବା ବନ୍ଧକ ଦେଇ ପାରୁନଥିବା ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ସରକାରୀ ପଦାଧିକାରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ଏପରିକି କିଛିବର୍ଷ ପୂର୍ବେ ରାଜସ୍ବ ବିଭାଗ ପକ୍ଷରୁ ଗ୍ରାମରେ ହାଇଟେକ୍‌ ସର୍ଭେ କାର୍ଯ୍ୟ ଚାଲୁ ରହିଥିବା ବେଳେ ପରେ ସରକାରୀ ଜମି, କେନାଲ , ଶ୍ମଶାନ,ମନ୍ଦିର, ଗୋଚର ଓ ଅନ୍ୟାନ୍ୟ ଜମି ଦର୍ଶାଯାଇନଥିବା ଜଣାପଡ଼ିଛି। ଏଣୁ ଉକ୍ତ ହାଇଟେକ ସର୍ଭେ ମ୍ୟାପ ଯାଞ୍ଚ କରି ସରକାରୀ ଜମି, ମନ୍ଦିର , କେନାଲ, ଗୋଚର ଓ ଅନ୍ୟାନ୍ୟ ଜମିକୁ ଚିହ୍ନଟ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ଗ୍ରାମ୍ୟ କମିଟି ସଭାପତି ନିରାକାର ପ୍ରଧାନ , ସମ୍ପାଦକ କେ . ତାରକେଶ୍ବର ଦୋରା , ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , ୱାର୍ଡ ସଭ୍ୟ ସନ୍ୟାସୀ ପ୍ରଧାନ , ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଦିଲ୍ଲୀପ ପ୍ରଧାନ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ । ଏନେଇ ତହସିଲଦାରଙ୍କୁ ପଚାରିବାରେ ଗତ ୨୦୨୦ – ୨୧ ମସିହାରେ ରାଜସ୍ଥାନରୁ ଆସିଥିବା ଟିମ ପକ୍ଷରୁ କରାଯାଇଥିବା ହାଇଟେକ ସର୍ଭେ କାର୍ଯ୍ୟରେ ତ୍ରୁଟି ରହିଥିବା ଜଣାପଡିବାରୁ ତାହାକୁ ବାତିଲ କରିଦିଆଯାଇଥିଲା। ତତ୍କାଳୀନ ତହସିଲଦାର କଟକ ସ୍ଥିତ ରାଜ୍ୟ ସର୍ଭେ ମ୍ୟାପ ସେଟଲ ମେଣ୍ଟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ହାଇକୋର୍ଟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ମ୍ୟାପ ଓ ସାବିକ ରେକର୍ଡ ସଂଗ୍ରହ ପାଇଁ ଯାଇଥିଲେ। କିନ୍ତୁ ସେମାନେ ବହୁଦିନର ନଥି ଖୋଜିବା ପାଇଁ ସମୟ ଚାହିଁଥିଲେ। ସେସବୁ ସଂଗ୍ରହ ପାଇଁ ପୁଣିଥରେ ତହସିଲ କର୍ମଚାରୀଙ୍କୁ ପଠାଯିବ। ରେକର୍ଡ ଆସିବା ପରେ ସଠିକ୍‌ ଭାବେ ପୁଣିଥରେ ସର୍ଭେ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share