ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି ଧାରଣା ଏବେ ଧୀରେ ଧୀରେ ବଦଳିବାରେ ଲାଗିଛି। ଦେଶରେ ଇଲେକ୍ଟ୍ରିକ ବାହନ (EV) ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ସରକାର ମଧ୍ୟ ଇକୋ-ଫ୍ରେଣ୍ଡଲି ବା ଇଲେକ୍ଟ୍ରିକ ଗାଡ଼ିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏଭଳି ପରିସ୍ଥିତିରେ ବଜାରରେ EV ଚାର୍ଜିଂ ଷ୍ଟେସନର ଚାହିଦା ଆକାଶଛୁଆଁ ହୋଇଛି। ଯଦି ଆପଣ ପେଟ୍ରୋଲ ପମ୍ପ ଖୋଲି ନ ପାରି ଦୁଃଖ ପ୍ରକାଶ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଆପଣ ନିଜ ଜାଗାରେ EV ଚାର୍ଜିଂ ପଏଣ୍ଟ ଲଗାଇ ଏହି ସ୍ବପ୍ନକୁ ପୂରଣ କରିବା ସହ ମୋଟା ଅଙ୍କର ରୋଜଗାର ମଧ୍ୟ କରିପାରିବେ।

ଆଜିକାଲି ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଇଲେକ୍ଟ୍ରିକ କାର୍‌, ସ୍କୁଟର ଏବଂ ବାଇକ କିଣୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଲୋକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅନେକ ସ୍ଥାନରେ ସାର୍ବଜନୀନ ଚାର୍ଜିଂ ଷ୍ଟେଶନର ଅଭାବ ରହିଛି। ସେଥିପାଇଁ ଆବାସିକ ଅଞ୍ଚଳ (Residential Areas), ବଜାର ଏବଂ ମୁଖ୍ୟ ରାସ୍ତା କଡ଼ରେ ଛୋଟ ଛୋଟ EV ଚାର୍ଜିଂ ପଏଣ୍ଟର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।
ଯଦି ଆପଣଙ୍କ ଘର ମୁଖ୍ୟ ରାସ୍ତା କଡ଼ରେ ଅଛି କିମ୍ବା ରାସ୍ତା କଡ଼ରେ ଆପଣଙ୍କର କୌଣସି ଜମି ଅଛି, ତେବେ ଆପଣ ସେଠାରେ ଏକ EV ଚାର୍ଜିଂ ୟୁନିଟ ସ୍ଥାପନ କରିପାରିବେ। ଏଥିପାଇଁ ସାଧାରଣ ଘରୋଇ ଚାର୍ଜରଠାରୁ ଆରମ୍ଭ କରି ଫାଷ୍ଟ ଚାର୍ଜର୍‌ ପର୍ଯ୍ୟନ୍ତ ଅନେକ ବିକଳ୍ପ ଉପଲବ୍ଧ ଅଛି। ଲୋକେ ନିଜ ଗାଡ଼ି ଚାର୍ଜ କରିବା ବଦଳରେ ଆପଣଙ୍କୁ ଟଙ୍କା ଦେବେ, ଯାହାଦ୍ୱାରା ଆପଣଙ୍କର ପ୍ରତିମାସରେ ଏକ ନିୟମିତ ଆୟ ହୋଇପାରିବ।

ଏଥିପାଇଁ କଣ ସବୁ ଆବଶ୍ୟକ?
ଏକ EV ଚାର୍ଜିଂ ପଏଣ୍ଟ ଆରମ୍ଭ କରିବା ପାଇଁ ସବୁଠାରୁ ପ୍ରଥମେ ପର୍ଯ୍ୟାପ୍ତ ବିଦ୍ୟୁତ ସଂଯୋଗ (Power Connection) ଆବଶ୍ୟକ। ଏହା ବ୍ୟତୀତ:
-ଚାର୍ଜିଂ ମେଶିନ (Charging Machine)
-ସୁରକ୍ଷା ଉପକରଣ (Safety Equipment)
-ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା

ଯଦି ଆପଣ କମ ପୁଞ୍ଜିରୁ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏସି (AC) ଚାର୍ଜର୍‌ରୁ କାମ ଆରମ୍ଭ କରିପାରିବେ। ଯଦି ଆପଣଙ୍କର ବଜେଟ ଭଲ ଅଛି, ତେବେ ବଡ଼ ନିବେଶ ସହିତ ଡିସି (DC) ଫାଷ୍ଟ ଚାର୍ଜର୍‌ ମଧ୍ୟ ଲଗାଇପାରିବେ।

କେତେ ହେବ ଆୟ?
ଆପଣଙ୍କର ଆୟ ଅନେକ କଥା ଉପରେ ନିର୍ଭର କରେ, ଯେମିତି କି ଆପଣଙ୍କ ଅଞ୍ଚଳରେ EV ସଂଖ୍ୟା କେତେ, ଚାର୍ଜିଂର ଚାହିଦା ଏବଂ ଆପଣ କେଉଁ ପ୍ରକାରର ଚାର୍ଜର ଲଗାଇଛନ୍ତି। ଯଦି ପ୍ରତିଦିନ ଅଧିକ ସଂଖ୍ୟକ ଗାଡ଼ି ଚାର୍ଜିଂ ପାଇଁ ଆସେ, ତେବେ ବିଦ୍ୟୁତ ବିଲ୍‌ ଖର୍ଚ୍ଚ ବାଦ ଦେଇ ଆପଣ ଭଲ ଲାଭ ପାଇପାରିବେ। ବ୍ୟସ୍ତବହୁଳ ଅଞ୍ଚଳରେ ଏହି ଆୟ ଆହୁରି ଅଧିକ ହୋଇଥାଏ। ଏକ ଆନୁମାନିକ ହିସାବ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ପ୍ରାୟ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ଆପଣ ପ୍ରତିମାସରେ ୧୬ ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସହଜରେ ରୋଜଗାର କରିପାରିବେ।

ଆଜିକାଲି ବଜାରରେ ଏଭଳି ଅନେକ କମ୍ପାନୀ ଏବଂ ମୋବାଇଲ ଆପ୍‌ ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ EV ଚାର୍ଜିଂ ପଏଣ୍ଟକୁ ନିଜ ନେଟୱାର୍କ ସହ ଯୋଡ଼ିଥାନ୍ତି। ଏହାଦ୍ୱାରା EV ଚାଳକମାନେ ମୋବାଇଲ ଆପ ସାହାଯ୍ୟରେ ଆପଣଙ୍କ ଚାର୍ଜିଂ ଷ୍ଟେଶନ ବିଷୟରେ ସହଜରେ ସୂଚନା ପାଇପାରିବେ, ଯାହା ଗ୍ରାହକଙ୍କ ସଂଖ୍ୟା ବଢ଼ାଇବାରେ ସାହାଯ୍ୟ କରିବ।

ବିଶେଷଜ୍ଞଙ୍କ ମତରେ, ଆଗାମୀ ବର୍ଷଗୁଡ଼ିକରେ ଭାରତରେ ଇଲେକ୍ଟ୍ରିକ ବାହନ ବଜାର ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ଏହା ସହିତ ଚାର୍ଜିଂ ଇନଫ୍ରାଷ୍ଟ୍ରକ୍ଚରର ଆବଶ୍ୟକତା ମଧ୍ୟ ବଢ଼ିବ। ତେଣୁ, ଆଜି ହିଁ ଘର ବାହାରେ ଏକ EV ଚାର୍ଜିଂ ପଏଣ୍ଟ ଲଗାଇବା ଭବିଷ୍ୟତ ପାଇଁ ଏକ ଦୀର୍ଘସ୍ଥାୟୀ ଏବଂ ଲାଭଦାୟକ ବ୍ୟବସାୟ ସାବ୍ୟସ୍ତ ହୋଇପାରେ।

Dharitri – Odisha’s No.1 Odia Daily

Share