Categories: ଜାତୀୟ

ନିର୍ବାଚନ ପୂର୍ବରୁ ଶେଷ ହୋଇପାରେ ଅଧିବେଶନ

ନୂଆଦିଲ୍ଲୀ,୯।୩ (ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ କାଟଛାଣ୍ଟ ହୋଇପାରେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଅଧିବେଶନ ଶେଷ ହୋଇପାରେ ବୋଲି ଜଣାପଡ଼ିଛି। ମଙ୍ଗଳବାରଠାରୁ ଉଭୟ ଗୃହ ସ୍ବାଭାବିକ ଭାବେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାକୁ ପୂର୍ବରୁ ସ୍ଥିର ହୋଇଥିଲା। ତେବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ କାଟଛାଣ୍ଟ କରିବା ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏସମ୍ପର୍କରେ ଗୃହରେ ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି।
କରୋନା ମହାମାରୀ କାରଣରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ମୌସୁମୀ ଅଧିବେଶନଠାରୁ ଲୋକ ସଭା ଓ ରାଜ୍ୟ ସଭା ଅଧିବେଶନ ଅଲଗା ଅଲଗା ଶିଫ୍ଟରେ ହେଉଥିଲା। ଏଥର ଶୀତ ଅଧିବେଶନ ଡକାଯାଇ ନ ଥିଲା। ମଙ୍ଗଳବାରଠାରୁ ଏମ୍‌ପିମାନଙ୍କୁ କୋଭିଡ୍‌ ଟିକା ଦିଆଯିବାକୁ ଥିବାବେଳେ ଗୃହ କାର୍ଯ୍ୟସମୟ ସ୍ବାଭାବିକ କରିବା ଲାଗି ସୋମବାର ନିଷ୍ପତ୍ତି ନିଆଯାଇଛି।

Share