ଢେଙ୍କାନାଳରେ ସିରିଜ୍‌ ଚୋରି

ଢେଙ୍କାନାଳ ଅଫିସ୍‌, ୩୧ା୫ ସାବିତ୍ରୀ ଓଷା ଅବ୍ୟବହିତ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲା କଲେଜ ବାଇପାସ୍‌ ଅଞ୍ଚଳରୁ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକକାଳୀନ ୭ ଦୋକାନର ତାଲା କାଟି ଲକ୍ଷାଧିକ ଟଙ୍କା ଏବଂ ବହୁ ମୂଲ୍ୟବାନ ସାମଗ୍ରୀ ନେଇଯାଇଛନ୍ତି। ସହର ଉପକଣ୍ଠରେ ଏଭଳି ଚୋରି ପ୍ରଥମ ଥର ପାଇଁ ହୋଇଥିବାବେଳେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୋମବାର ସାବିତ୍ରୀ ବ୍ରତ ଥିବାରୁ ସମ୍ପୃକ୍ତ ଦୋକାନୀମାନେ ସଅଳ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ଏହାର ସୁଯୋଗରେ ଅଭିଯୁକ୍ତମାନେ ରେଷ୍ଟୁରାଣ୍ଟ, ଫଳଦୋକାନ, ସ୍ନାକ୍ସ ଭେରାଇଟି ଷ୍ଟୋର, ଚିକେନ କାଉଣ୍ଟର, ମିଠାଦୋକାନ, ମୋବାଇଲ ଷ୍ଟୋର, ମୃଦୁପାନୀୟ ଦୋକାନରେ କଳାକନା ବୁଲାଇଛନ୍ତି। ବିପୁଳ ପରିମାଣର ମିଠା, କଦଳୀ କାନ୍ଧି, ଅଣ୍ଡାପେଟି, ଗ୍ରୋସରି ସାମଗ୍ରୀ ସହ କ୍ୟାଶ କାଉଣ୍ଟରରୁ ଟଙ୍କା ନେଇଯାଇଥିବା ବ୍ୟବସାୟୀ ବିବେକ ମହାପାତ୍ର, କୁନୁ ରାମ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୋକାନରେ ଲାଗିଥିବା ସିସିଟିଭିରେ ଲୁଟ୍‌ର ଦୃଶ୍ୟ କଏଦ୍‌ ହୋଇଛି। ସୂଚନା ପାଇ ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ତନାଘନା ଜାରି ରହିଥିବାବେଳେ ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତଙ୍କ ଟେର୍‌ ମିଳି ନ ଥିବା ଜଣାପଡ଼ିଛି।
ଉକ୍ତ ଦୋକାନଗୁଡ଼ିକ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ନିକଟରେ ରହିଛି। ଦୁର୍ବୃତ୍ତମାନେ ସକାଳୁ ଆସୁଥିବା ପାସେଞ୍ଜର ଟ୍ରେନ୍‌ରେ ସାମଗ୍ରୀ ଧରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଚଳାଇଛି।