ଛତ୍ରପୁର,୧୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ବୁଧବାର ସନ୍ଧ୍ୟାରେ ଘଟିଥିବା ସିରିଜ୍ ଦୁର୍ଘଟଣାରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ (୪୫) ଓ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର (୪୦) ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ସହ ଦୁର୍ଘଟଣାର ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ବ୍ରହ୍ମପୁରର ରୋଜାଲିନ ରାଣୀ ମିଶ୍ରଙ୍କ ବୁଧବାର ମୃତ୍ୟୁ ଘଟିଥିଲା। ସେ ଛତ୍ରପୁରସ୍ଥିତ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଥାଉ କି, ୧୬ ନଂ ଜାତୀୟ ରାଜପଥ ଚମାଖଣ୍ଡି ଛକ ନିକଟରେ ଗୋଟିଏ କାର ୟୁ-ଟର୍ନ କରୁଥିବା ବେଳେ କିଛି ଦୁଇ ଚକିଆ ଯାନ ସେଠାରେ ଅଟକି ରହିଥିଲେ। ଛତ୍ରପୁରଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ଦ୍ରୁତଗତିରେ ଆସି ସେଠାରେ ଥିବା କାର୍ ସମେତ ୫ – ୬ ଟି ଦୁଇ ଚକିଆ ଯାନ ଓ ସାଇକେଲକୁ ଧକ୍କା ଦେଇଥିଲା। ଏହି ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗଭୀର ଭାବେ ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ ଏବଂ ସେଠାରେ ସେମାନେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ସକାଳେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଚମାଖଣ୍ଡି, ଛତ୍ରପୁର, ବ୍ରହ୍ମପୁର ସମେତ ଅନେକ ଅଞ୍ଚଳବାସୀ ସ୍ତବ୍ଧ ହୋଇପଡ଼ିଛନ୍ତି।