ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର ଟଙ୍କା ଓ ଦୁଇଟି ସୁନା ମୁଦି ଚୋରି ହୋଇଥିବା ମାଲିକ ସୁଦାମ ଗିରି ବେଗୁନିଆପଡ଼ା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ଗତ ରାତିରେ ଘରେ ଅନୁପସ୍ଥିତ ରହିଥିବା ବେଳେ ଜାଣିଶୁଣି କେହି ଟାର୍ଗେଟ କରି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେହି ଦୋକାନ ନିକଟରେ ଥିବା ରୀନା ବିଷୋୟୀଙ୍କ ଘରୁ ମଧ୍ୟ ଚୋରି ହୋଇଛି। ସେ ମଧ୍ୟ ଘରେ ଅନୁପସ୍ଥିତ ରହିଥିଲେ। ଏଥି ସହିତ କେ. ବରିଡା ବାଲି ସାହିର ବସନ୍ତ କୁମାର ମିଶ୍ରଙ୍କ ଘରେ ମଧ୍ୟ ଚୋରି ହୋଇଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା କୁମାରୀ ମିଶ୍ର ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି। ବସନ୍ତ ବାହାରେ ଚାକିରୀ କରନ୍ତି। ବୁଧବାର ରାତିରେ ନର୍ମଦା ପିଲାଙ୍କୁ ନେଇ ଘରେ ଶୋଇଥିଲେ। ଚୋରମାନେ ଶୋଇବା ଘର ବାହାର ପଟୁ କବାଟ ବନ୍ଦ କରି ନିକଟରେ ଥିବା ଅନ୍ୟ ଏକ ଘରୁ ବିଭିନ୍ନ ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରିବା ସହ ୩ ସୁନା ମୁଦି, ୨ ଟି ରୁପା ମୁଦି ଗୋଟିଏ ହାତ ଘଣ୍ଟା ଓ ନଗଦ ୧୭ ଶହ ୫୦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏତଲା ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗୁରୁବାର ଅନୁସନ୍ଧାନୀ କୁକୁର ସହ ପୋଲିସ୍‌ ଚୋରି ହୋଇଥିବା ଘରଗୁଡିକୁ ଯାଇ ତଦନ୍ତ କରିଛି। ତେବେ କୌଣସି ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡି ନ ଥିବା ବେଳେ ଖୁବ ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ କହିଛନ୍ତି।