Categories: ଜାତୀୟ

କେଜିଏଫ୍‌ ଦେଖି ସିରିଏଲ କିଲର

ଭୋପାଳ, ୩ା୯: ମଧ୍ୟପ୍ରଦେଶରେ ସିକ୍ୟୁରିଟି ଗାର୍ଡଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସିରିଏଲ କିଲରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଦ୍ୟାବଧି ୫ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ୧୯ ବର୍ଷୀୟ ଶିବପ୍ରସାଦ ଧ୍ରୁବେଙ୍କୁ ଶୁକ୍ରବାର ଗିରଫ କରାଯାଇଛି। କେଜିଏଫ୍‌-୨ ଫିଲ୍ମରୁ ଅନୁପ୍ରାଣିତ ହୋଇ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହେବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏଥିସହ ସେ ଗତ ୫ ଦିନରେ ୪ଟି ହତ୍ୟାକାଣ୍ଡ ଘଟାଇଥିବା ମାନିଛନ୍ତି ବୋଲି ପୋଲିସ କହିଛି। ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୩ଟାରେ ତାଙ୍କୁ ଧରାଯିବା ପୂର୍ବରୁ ସେ ଆଉ ଜଣଙ୍କୁ ହତ୍ୟା କରିଥିବା ସୂଚନା ଦିଆଯାଇଛି। ତେବେ ଗତ ମେ’ରେ ଆଉ ଜଣେ ଜଗୁଆଳିଙ୍କ ମର୍ଡରରେ ସମ୍ପୃକ୍ତ ଅଛନ୍ତି କି ନା ତାହାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।
ସହରର କେସ୍‌ଲି ଅଞ୍ଚଳ ବାସିନ୍ଦା ଶିବପ୍ରସାଦ ଗୁରୁବାର ରାତିରେ ଏକ ମାର୍ବଲ ପଥରରେ ଭୋପାଳର ଲାଲଘାଟିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ସିସିଟିଭି ଫୁଟେଜ୍‌ ଏବଂ ମୋବାଇଲ ଫୋନ୍‌ ଟ୍ରାକିଂ ଜରିଆରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶିବପ୍ରସାଦ କେଜିଏଫ୍‌-୨ ଫିଲ୍ମର ରକି ଭାଇ ଚରିତ୍ରରୁ ଅନୁପ୍ରାଣିତ ହୋଇଥିଲେ। ଏପରି ହତ୍ୟା ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ସେ ଗ୍ୟାଙ୍ଗଷ୍ଟାର ହେବାକୁ ଯୋଜନା କରିଥିଲେ। ଏହା ଦ୍ୱାରା ଭବିଷ୍ୟତରେ ପୋଲିସ ଅଧିକାରୀମାନଙ୍କୁ ଟାର୍ଗେଟ କରି ହତ୍ୟା କରିପାରିବେ ଭାବିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶିବପ୍ରସାଦ କେବଳ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରୁଥିଲେ। ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବାବେଳେ ଗୋଆରେ କୌଣସି କାମ କରୁଥିଲେ। ସେ କିଛି ମାତ୍ରାରେ ଇଂଲିଶ ମଧ୍ୟ କହିଜାଣିଛନ୍ତି। ପ୍ରଥମେ ସେ ମହାରାଷ୍ଟ୍ରର ପୁଣେରେ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ପରେ ମଧ୍ୟପ୍ରଦେଶର ସାଗର ସହରକୁ ଆସିଥିଲେ। ଅଗଷ୍ଟ ୨୮ରୁ ଲଗାତର ୩ ଦିନରେ ୩ଟି ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ତାଙ୍କୁ ଧରିବା ପାଇଁ
ସ୍କେଚ୍‌ ଜାରି କରିବା ସହ ଅଭିଯୁକ୍ତ ବିଷୟରେ ସୂଚନା ଦେଲେ ୩୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସିକ୍ୟୁରିଟି ଗାର୍ଡ ମଙ୍ଗଲ୍‌ ଅହିରଓ୍ବାରଙ୍କ ମୃତ୍ୟୁ ଘଟିଛି।

Share