ଚନ୍ଦ୍ରପୃଷ୍ଠରେ ସେନ୍‌ସର ଖୋଜିବ ଜଳ

ଓ୍ବାଶିଂଟନ୍‌, ୨ା୧୧: ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ ନେଇ ବହୁବର୍ଷ ଧରି ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ୍‌)ର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ଚନ୍ଦ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ବୈଜ୍ଞାନିକଙ୍କ ହସ୍ତଗତ ହୋଇସାରିଛି। ଜୀବଜଗତ ପାଇଁ ଜଳର ଆବଶ୍ୟକତା ଥିବାବେଳେ ଚନ୍ଦ୍ରରେ ବରଫ ଆକାରରେ ଥିବା ଜଳ ସମ୍ପର୍କିତ ଅଧିକ ତଥ୍ୟ ସଂଗ୍ରହ ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ର ପୃଷ୍ଠକୁ ଏକ ସାଟେଲାଇଟ୍‌ ବା ଉପଗ୍ରହ ପ୍ରେରଣ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ନାସା ସ୍ପେସ୍‌ଏକ୍ସ ଫାଲକୋନ-୯ ରକେଟ୍‌ ଜରିଆରେ ଏହି କ୍ଷୁଦ୍ର ଉପଗ୍ରହକୁ ଚନ୍ଦ୍ରକୁ ପଠାଇବ। ବରଫ ଆକାରରେ ଥିବା ଜଳକୁ କିପରି ବିଶୁଦ୍ଧ କରି ବ୍ୟବହାର ଉପଯୋଗୀ କରାଯାଇପାରିବ ଏବଂ ଏଥିରେ କେଉଁ ଉପାଦାନ ସବୁ କେତେ ପରମାଣରେ ରହିଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ସାଟେଲାଇଟ୍‌ ଜରିଆରେ ସଂଗ୍ରହ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଉପଗ୍ରହରେ ସ୍ବତନ୍ତ୍ର ଟର୍ଚ୍ଚ ଲାଇଟ୍‌ ବା ଫ୍ଲସ୍‌ ଲାଇଟ୍‌ର ବ୍ୟବହାର କରାଯିବ। ଏଥିରେ ଲାଗିଥିବା ସେନ୍‌ସର ଚନ୍ଦ୍ରପୃଷ୍ଠରେ ଜଳର ସ୍ଥିତିକୁ ଖୋଜି ବାହାର କରିବାରେ ସହାୟକ ହେବ। ଲୁନାର ଫ୍ଲାସ୍‌ ଲାଇଟ୍‌ରେ ଏକ ଲେଜର ବ୍ୟବହର କରାଯାଇଛି, ଯାହା ଜଳ ଥିବା ସ୍ଥାନରେ ପଡ଼ିବା ମାତ୍ରକେ ଏକ ଚମକ ଉତ୍ପନ୍ନ ହେବ। ପୂର୍ବରୁ ମିଳିଥିବା ତଥ୍ୟ ମୁତାବକ ଚନ୍ଦ୍ରର ଦକ୍ଷିଣ ମେରୁରେ କମ୍‌ ପରିମାଣର ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏଠାରେ ଅଧିକ ମାତ୍ରାରେ ଜଳ ବରଫ ଆକାରରେ ଗଚ୍ଛିତ ହୋଇରହିଛି। ଚନ୍ଦ୍ରପୃଷ୍ଠଠୁ ୭୦,୦୦୦ କି.ମି. ଦୂରରେ ଏହି ସାଟେଲାଇଟ୍‌ ଅବସ୍ଥାପିତ ହେବ, ଯାହା ଲୁନାର ସର୍‌ଫେସ୍‌ଠାରୁ ମାତ୍ର ୧୫ କି.ମି ଦୂରରେ ରହିବ। ଏହି ଉପଗ୍ରହକୁ ସାଇନ୍ସ ଅର୍ବିଟ ନିକଟରେ ପହଞ୍ଚିବାକୁ ୩ ମାସ ସମୟ ଲାଗିବ। ଚନ୍ଦ୍ରପୃଷ୍ଠର ଯେଉଁ ଭାଗରେ ମହାକାଶଚାରୀ ପହଞ୍ଚିବା କଷ୍ଟକର, ସେହି ସ୍ଥାନରୁ ଏହି ସାଟେଲାଇଟ୍‌ ଜଳର ସନ୍ଧାନ କରିବ ବୋଲି ମିଶନ୍‌ ପ୍ରୋଜେକ୍ଟ ମ୍ୟାନେଜର୍‌ ଜନ୍‌ ବ୍ୟାକର୍‌ ସୂଚନା ଦେଇଛନ୍ତି।

Share