ସ୍ବାଭିମାନ ଅଞ୍ଚଳରେ ଚାଞ୍ଚଲ୍ୟ: ଗଛ ପକାଇ ରାସ୍ତା ଅବରୋଧ

ଚିତ୍ରକୋଣ୍ଡା,୨୬।୧୧(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅଧୀନସ୍ତ ପଦ୍ମଗିରି-ଲିମାଟାଣ୍ଡି ରାସ୍ତାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ କେହି କୌଣସି କାରଣରୁ ରାସ୍ତା କଡରେ ଥିବା ୬ଟି ଗଛ କାଟି ରାସ୍ତା ଉପରେ ପକାଇ ଅବରୋଧ କରଥିଲେ। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ସମ୍ପୂର୍ଣ ଭାବେ ଠପ୍‌ ହୋଇଯାଇଥିଲା।

ଏହି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ, ବନ ବିଭାଗ କର୍ତ୍ତୃପକ୍ଷ ଏବଂ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପୋଲିସ, ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବନ ବିଭାଗର ଅଧିକାରୀ ମଙ୍ଗଳଦାନ ହିକକାଙ୍କ ନେତୃତ୍ୱରେ ଜିଲେସ କୁମାର ବେହେରା, କର୍ମଚାରୀ ଗୁପ୍ତେଶ୍ୱର ନାୟକ, କୁଷ ଖିଲ, ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛକୁ ପର୍ଯ୍ୟାୟକ୍ରମେ କାଟି ସଫା କରିଥିଲେ। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ରାସ୍ତା ଉପରେ ଗଛ କାଟି ପକାଇ ରାସ୍ତା ଅବରୋଧ କରିଥିଲେ ତାହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ହିକକା ସୂଚନା ଦେଇଛନ୍ତି।

Share