ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଓ କର୍ମୀମାନେ ଗତ ତିନି ଦିନ ଧରି ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ସୋମବାର ହିଞ୍ଜିଳି ବ୍ଲକ, ବୁଧବାର ଶେରଗଡ଼ ବ୍ଲକ ଏବଂ ଗୁରୁବାର ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜେଡି ନେତା ଓ କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ଦଳୀୟ ସଂଗଠନ, ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ଆଗାମୀ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ହିଞ୍ଜିଳି ବିଧାୟକ ଭାବେ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରି ନହାନ୍ତି। ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରେ ସେ ହିଞ୍ଜିଳି ଗସ୍ତ କରି ଲୋକଙ୍କୁ ଭେଟିବେ। କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ଏହି ଅବସରରେ କହିଥିଲେ।
ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବାକୁ ସେ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ମନ୍ଥର ହୋଇପଡ଼ିଥିବା ନେଇ ଦଳୀୟ ନେତା ଓ କର୍ମୀମାନେ ବିରୋଧୀ ଦଳ ନେତାଙ୍କୁ ଜଣାଇଥିଲେ।
ପଞ୍ଚାୟତ ଅଞ୍ଚଳରେ ନିମ୍ନମାନର କାର୍ଯ୍ୟ ହେଉଥିବା ଏବଂ ପ୍ରଶାସନିକସ୍ତରରେ ବିଜେଡି ସମର୍ଥକମାନେ ବାଛବିଚାରର ସମ୍ମୁଖୀନ ହେଉଥିବା ନେଇ ସେମାନେ ଅବଗତ କରାଇଥିଲେ। ଏଥିସହ ଆଇନଶୃଙ୍ଖଳା ସମେତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଜନସାଧାରଣଙ୍କ ଅସୁବିଧା ସମ୍ପର୍କରେ ମଧ୍ୟ ସେମାନେ ବିଜେଡି ସୁପ୍ରିମୋଙ୍କୁ ଜଣାଇଥିଲେ।