Categories: ଜାତୀୟ

ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ରବିଶ ତିୱାରୀ ୨୦୨୦ରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିଶ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ରାଜନୈତିକ ସମ୍ପାଦକ ଥିଲେ। ତାଙ୍କ ପରିବାରରେ ତାଙ୍କ ପତ୍ନୀ, ପିତାମାତା ଏବଂ ଜଣେ ଭାଇ ରହିଛନ୍ତି। ତାଙ୍କ ବିୟୋଗରେ ଜାତୀୟ ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି। ରବିଶଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତିଙ୍କ ସମେତ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇିଟ କରି କହିଛନ୍ତି, ଭଗବାନ ରବିଶ ତିୱାରୀଙ୍କୁ ଖୁବ୍‌ଶୀଘ୍ର ଆମ ଗହଣରୁ ଛଡ଼ାଇ ନେଲେ। ଗଣମାଧ୍ୟମ ଦୁନିଆରେ ଜଣେ ଉଜ୍ଜ୍ୱଳ ପ୍ରତିଭାର ଅନ୍ତ ଘଟିଛି। ମୋତେ ତାଙ୍କର ଉପସ୍ଥାପନା ଶୈଳୀ, ସ୍ବତନ୍ତ୍ର ଖବର ଉପରେ ଚର୍ଚ୍ଚା ଓ ସାକ୍ଷାତକାର ବେଶ୍‌ ପ୍ରଭାବିତ କରିଥିଲା। ସେ ବୁଦ୍ଧିମାନ ଏବଂ ନମ୍ର ଥିଲେ। ତାଙ୍କ ପରିବାର ଏବଂ ଅନେକ ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମବେଦନା ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଲେଖିଛନ୍ତି, ରବିଶ ତିୱାରୀଙ୍କ ପାଇଁ ସାମ୍ବାଦିକତା ଏକ ଆବେଗ ଥିଲା। ତାଙ୍କର ରିପୋର୍ଟିଂ ଓ ଆଙ୍କରିଂ ଏକ ଭିନ୍ନ ଶୈଳୀ ଥିଲା। ତାଙ୍କର ହଠାତ୍‌ ଏବଂ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ଗଣମାଧ୍ୟମର ଏକ ଭିନ୍ନ ସ୍ବରକୁ ଚପାଇଦେଲା। ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କ ପ୍ରତି ରାମନାଥ କୋବିନ୍ଦ ସମବେଦନା ଜଣାଇଛନ୍ତି। ସେହିଭଳି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ। ତାଙ୍କ ପରିବାର, ବନ୍ଧୁ ଏବଂ ସହକର୍ମୀଙ୍କୁ କେଜରିଓ୍ବାଲ ଗଭୀର ସମବେଦନା ଜଣାଇ ରବିଶଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

Share