ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ଫୋରମ୍‌

ଦେବଗଡ଼,୧୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଏକ ଶିଳ୍ପ ବିହୀନ ଜିଲା ଓ ଜିଲାର ଅଧିକାଂଶ ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବାରୁ ଜିଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ, ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ କିମ୍ବା ଫରେଷ୍ଟ୍ରିର ଏକ କଲେଜ/ଶାଖା ସ୍ଥାପନ ସମେତ ବିଭିନ୍ନ ଦାବିରେ ଦେବଗଡ଼ ଜିଲା ବରିଷ୍ଠ ନାଗରିକ ଫୋରମ୍‌ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦେବଗଡ଼ ଜିଲା ବରିଷ୍ଠ ନାଗରିକ ଫୋରମ୍‌ ପକ୍ଷରୁ ଫୋରମ୍‌ର ସଭାପତି ରାମଚନ୍ଦ୍ର ମହାପାତ୍ର, ଦିଲ୍ଲୀପ କୁମାର ଗୁରୁ, କାମାକ୍ଷା ଗଙ୍ଗଦେବ ଓ ସନ୍ତୋଷ ସାହୁ ଦେବଗଡ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରସ୍ଥ ବିକାଶ ଭବନରେ ସାକ୍ଷାତ କରି ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ପତ୍ରରେ ଜିଲାର ଏକ ମାତ୍ର ସରକାରୀ ପଲିଟେକନିକ୍‌ କଲେଜର ଅପ୍‌ଗ୍ରେଡେଶନ କରି ଡିଗ୍ରୀ କଲେଜର ମାନ୍ୟତା ପ୍ରଦାନ, ଜିଲା ସଦର ମହକୁମାରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ, ସହରର ସଂସ୍କୃତି ଭବନ ନିକଟରେ ଥିବା ଭଙ୍ଗାଘରକୁ ଭାଙ୍ଗି ସେଠାରେ ମଞ୍ଚ କଳାକାରମାନଙ୍କ ନିମନ୍ତେ ଏକ ରଙ୍ଗ ମଞ୍ଚ ନିର୍ମାଣ ଏବଂ ସହରର ସମସ୍ତ ଛକଗୁଡ଼ିକରେ ନାମଫଳକ ସ୍ଥାପନ ଆଦି ଦାବି ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share