Categories: ଜାତୀୟ

୨୦୨୪ର ସେମିଫାଇନାଲ, ଭାଜପା-କଂଗ୍ରେସର ଭବିଷ୍ୟତ ନିର୍ଣ୍ଣୟ କରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ଭାବେ ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟରେ ବାସ କରନ୍ତି। ଏପରି ପରିସ୍ଥିତିରେ, ଏହାର ଫଳାଫଳ ୨୦୨୪ ର ଦିଗ ନିର୍ଣ୍ଣୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ନିର୍ବାଚନ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ପାଇଁ ମଧ୍ୟ ଏହା ଏକ ନିର୍ଣ୍ଣାୟକ ନିର୍ବାଚନ ହେବ। ବିଧାନସଭା ନିର୍ବାଚନ ହେଉଥିବା ୪ ରାଜ୍ୟରେ ଭାଜପା ସରକାର ଏବଂ ଗୋଟିଏରେ କଂଗ୍ରେସ ସରକାର ଅଛି। ଏହି ନିର୍ବାଚନ ଭାଜପା ପାଇଁ ଏକ ଲିଟମସ ପରୀକ୍ଷା ସାବ୍ୟସ୍ତ ହେବ।

ବିଶେଷକରି କୃଷି ଆଇନ ପ୍ରତ୍ୟାହାର ସହିତ ଡିସେମ୍ବର ୨୬କୁ ପ୍ରକାଶ ପର୍ବ ଅବସରରେ ବୀର ବାଲ୍‌ ଦିବସ ପାଳନ ପାଇଁ ଘୋଷଣା କରି ଭାଜପା ପଞ୍ଜାବ ଭୋଟରଙ୍କୁ ହାତେଇବାର ପ୍ରୟାସ କରି ମାଷ୍ଟର ଷ୍ଟ୍ରୋକ୍‌ ମାରିଛି। ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଭାଜପା ପ୍ରତି କୃଷକଙ୍କ ମଧ୍ୟରେ କ୍ରୋଧ ଅଛି କି ନାହିଁ ତାହା ନିର୍ବାଚନ ଫଳାଫଳ ଦର୍ଶାଇବ।

୫ ଟି ରାଜ୍ୟରେ ୬୯୦ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ ଏବଂ ସେଥିମଧ୍ୟରୁ ପ୍ରାୟ ୨୪୦ ଟି ବିଧାନସଭା ଆସନ ଚାଷୀଙ୍କ ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଛି। ଉତ୍ତରପ୍ରଦେଶ ଏବଂ ପଞ୍ଜାବକୁ ବ୍ୟତୀତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ବିଏସପି ନିଜର ନିଜର ଅସ୍ଥିତ୍ୱ ରକ୍ଷା ଲାଗି ଲଢ଼ିବେ। ତେବେ ପଞ୍ଜାବରେ କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶା ରହିଛି।

ଏଠାରେ ପ୍ରଥମ ଥର ପାଇଁ ଅକାଳୀ ଦଳରୁ ଅଲଗା ହୋଇ ଭାଜପା ନିର୍ବାଚନ ଲଢ଼ିବ। ପ୍ରଥମ ଦୁଇଟି ପର୍ଯ୍ୟାୟର ଭୋଟିଂ ଭାଜପା ଏବଂ କଂଗ୍ରେସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବାର ଆଶା ରହିଛି। ଫେବୃଆରୀ ୧୦ ଏବଂ ୧୪ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ମତଦାନ ଭାଜପା ଏବଂ କଂଗ୍ରେସ ସବୁଠାରୁ ଆହ୍ବାନପୂର୍ଣ୍ଣ। କାରଣ ଏହି ପର୍ଯ୍ୟାୟରେ ପଞ୍ଜାବ ଏବଂ ଜାଟ ପ୍ରାଧାନ୍ୟ ପଶ୍ଚିମ ଉତ୍ତରପ୍ରଦେଶରେ ଭୋଟିଂ ହେବ।

Share