ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ ଥିବାରୁ ଜିଲାର ମଣ୍ଡିଗୁଡ଼ିକରେ ଧାନ ବିକ୍ରି ଓ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇ ପଡ଼ିଛି। ଅନ୍ୟପଟେ ଶନିବାର ଜିଲାର ଭଟଲି ଅଞ୍ଚଳର ଏକ ରାଇସ୍‌ ମିଲ୍‌ରୁ ଛତିଶଗଡ଼ ଧାନ ବୋଝେଇ ଟ୍ରକ୍‌ ଜବତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଜିଲାର ଯୋଗାଣ ବିଭାଗ ଏହାର ଛାନଭିନ୍‌ ଚଳାଇଛି। ସମ୍ପୃକ୍ତ ଧାନ ବୋଝେଇ ଟ୍ରକ୍‌କୁ ଜବତ କରିବା ସହିତ ତାକୁ ସ୍ଥାନୀୟ ଗୁରୁଜୀ ରାଇସ୍‌ ମିଲ୍‌ ଜିମାରେ ଦିଆଯାଇଛି ଏବଂ ଏହାର ଅଧିକ ତଦନ୍ତ ଚାଲୁଛି ବୋଲି ସଦର ଏସିଏସ୍‌ଓ ବ୍ୟୋମକେଶ ମାଝୀ କହିଛନ୍ତି। ରବିବାର ଏସିଏସ୍‌ଓ ମାଝୀଙ୍କ ସମେତ ଭଟଲି ଯୋଗାଣ ନିରୀକ୍ଷକ ସାନ୍ତାକାର ପ୍ରଧାନ, ଅମ୍ବାଭୋନା ଯୋଗାଣ ନିରୀକ୍ଷକ ପ୍ରଭାତ ପ୍ରଦୀପ୍ତ ଏବଂ ବରଗଡ଼ ଯୋଗାଣ ନିରୀକ୍ଷକ କବିରାଜ ଧରୁଆ ଭଟଲି ଥାନାକୁ ପହଞ୍ଚିଥିଲେ ଏବଂ ଜବତ ଧାନ ବୋଝେଇ ଟ୍ରକ୍‌କୁ ନେଇ ଛାନ୍‌ଭିନ୍‌ ଚଳାଇଥିଲେ।
ତେବେ ଜିଲାରେ ଏହା ନୂଆଁ ଘଟଣା ନୁହେଁ। ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲି ନ ଥାଏ। ଫଳରେ ପ୍ରତିବର୍ଷ ରବି ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ଛତିଶଗଡ଼ରୁ ବିପୁଳଭାବେ ଧାନ ବିଭିନ୍ନ ଗଳାବାଟ ଦେଇ ବରଗଡ଼କୁ ପ୍ରବେଶ କରିଥାଏ ଏବଂ ସେହି ଧାନକୁ ବିଭିନ୍ନ ରାଇସ୍‌ ମିଲ୍‌ରେ ଭର୍ତ୍ତି ସହିତ ପରବର୍ତ୍ତୀ ସମୟରେ ଫଲ୍ସଏଣ୍ଟ୍ରି କରାଯାଇଥାଏ। ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଛି। ସେଭଳି ଧାନ ବୋଝେଇ ଗାଡ଼ି ମଧ୍ୟ ଧରାପଡୁଛି। ମାତ୍ର ଏଥିରେ ସମ୍ପୃକ୍ତ ଧାନ ଚାଲାଣକାରୀ, ମିଲର୍ସଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ଧାନ ବୋଝେଇ ଟ୍ରକ୍‌ ଜବତରେ ହିଁ କାର୍ଯ୍ୟାନୁଷ୍ଠାନ ସୀମିତ ରହି ଯାଉଛି। ଫଳରେ ବରଗଡ଼ ଜିଲାକୁ ଛତିଶଗଡ଼ ଧାନ ପ୍ରବେଶରେ ଅଙ୍କୁଶ ଲାଗି ପାରୁ ନାହିଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ଶନିବାର ଧରାପଡ଼ିଥିବା ଧାନ ବୋଝେଇ ଟ୍ରକ ମଧ୍ୟ ଛତିଶଗଡ଼ର ଏବଂ ସେହି ଧାନକୁ ରାଇସ୍‌ ମିଲ୍‌ରେ ଗଚ୍ଛିତ ରଖି ଫଲ୍ସଏଣ୍ଟ୍ରି କରାଯିବା ଯୋଜନା ଚାଲିଥିଲା ବୋଲି ଚର୍ଚ୍ଚା ଚାଲିଛି। ମାତ୍ର ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଭଟଲି ଥାନା ପୋଲିସ ମାଡ଼ି ବସିଥିଲା ଏବଂ ରାଇସ୍‌ ମିଲ୍‌ ଭିତରକୁ ଧାନ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଉଠାଇ ଆଣିବା ପରେ ଫଲ୍ସଏଣ୍ଟ୍ରି ଯୋଜନା ଫସର ଫାଟି ଯାଇଥିଲା। ଏହି ଘଟଣା ପୂର୍ବରୁ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଏବଂ ବରଗଡ଼ ଉପଖଣ୍ଡ ବରପାଲି ଅଞ୍ଚଳରୁ ଧାନ ବୋଝେଇ ଟ୍ରକ୍‌ ଜବତ ହୋଇଛି। ଜବତରେ ହିଁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ତେବେ ଆଗକୁ ଏହି ଘଟଣା ଉପରେ ଜିଲା ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି, ସେଥିପ୍ରତି ସଭିଁଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Share