ମୋରଡ଼ା ଗସ୍ତରେ ୫-ଟି ସଚିବ, ଛାତ୍ରୀଛାତ୍ରଙ୍କ ସହ ନେଲେ ସେଲ୍‌ଫି

ମୋରଡ଼ା,୧୨ା୮(ସ୍ମାରକୀ ମାଜୀ): ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାରଠାରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ମୋରଡ଼ା ବ୍ଲକ ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବଗୁଡ଼ିକୁ ସଂଗ୍ରହ କରିଥିଲେ। ହେଲିପ୍ୟାଡ୍‌ରୁ ଓହ୍ଲାଇବା ପରେ ସଚିବଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପରେ କଲେଜ ଛାତ୍ରୀ ତାଙ୍କଠାରୁ ଅଟୋଗ୍ରାଫ ନେଇଥିଲେ ଏବଂ ତାଙ୍କ ସହିତ ସେଲ୍‌ଫି ଉଠାଇଥିଲେ। ତତ୍‌ସହିତ ମୋରଡ଼ା ନିର୍ବାଚନମଣ୍ଡଳୀର ମୋରଡ଼ା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କଠାରୁ ଅଞ୍ଚଳର ସମସ୍ୟା ସମ୍ପର୍କିତ ଦାବିପତ୍ର ଗ୍ରହଣ କରିଥିଲେ l
ସଚିବ ବ୍ଲକର ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ୫-ଟି ଅନ୍ତର୍ଭୁକ୍ତ କରାଗଲା ତାହା ଘୋଷଣା କରିଥିଲେ। ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମରେ ଅଦରକାରୀ ସରକାରୀ ଗୃହକୁ ଚିହ୍ନଟ କରିବା ପରେ ଉକ୍ତ ଗୃହକୁ ନୂତନ ଭାବେ କରାଯାଇ ମିଶନ ଶକ୍ତି ମହିଳାକୁ ଦିଆଯିବ, ଶୁଳିଆପଦା ବ୍ଲକରେ ୧୦୮ କୋଟି, ମୋରଡ଼ାର ୧୦୪ କୋଟି ଓ ରାସଗୋବିନ୍ଦପୁରରେ ୯୫ କୋଟି ବିନିଯୋଗରେ ପ୍ରତି ଘରେ ପାଣି ଯୋଗାଇବା, ବଳଦିଆ ଆରଡ଼ି ରାସ୍ତାଠାରୁ ନୂଆଝାଳିଆ ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ୨୨ କୋଟି ଟଙ୍କା ପ୍ରଦାନ, ଦେଉଳିରୁ ମୋରଡ଼ା ନୂତନ ରାସ୍ତା ପାଇଁ ୫୦ କୋଟି ପ୍ରଦାନ କରାଯିବାକୁ ଘୋଷଣା କରିଥିଲେ। ସେହିପରି ମନ୍ଦିର, ମସ୍‌ଜିଦ୍‌,ଚରଚ, କମ୍ୟୁନିଟି ସେଣ୍ଟର ପାଇଁ ଦେଇଥିବା ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ବିଚାର କରି ଗୋଟିଏ ସପ୍ତାହ ମଧ୍ୟରେ ତଥା ୧୯ ତାରିଖରେ ଅନୁଦାନ ଘୋଷଣା କରିବେ ଏବଂ ଅନ୍ୟ ଦରଖାସ୍ତ ଉପରେ ଗୋଟିଏ ମାସ ଭିତରେ ବିଚାର କରି ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଆଇଜି,ଜିଲା ଆରକ୍ଷୀ ଅଧିକାରୀ ବି.ଗଙ୍ଗାଧର, ମୋରଡା ତହସିଲଦାର ଅନନ୍ତ କୁମାର ହାଁସଦା, ରାସଗୋବିନ୍ଦପୁର ତହସିଲଦାର, ମୋରଡ଼ା ବିଡିଓ ଜୟକୃଷ୍ଣ ପାତ୍ର, ରାସଗୋବିନ୍ଦପୁର ବିଡିଓ, ମୋରଡ଼ା ପୋଲିସ ଏବଂ ରାସଗୋବିନ୍ଦପୁର ପୋଲିସ ଉପସ୍ଥିତ ଥିଲେ।

ସେହିପରି ବିଜୁ ଜନତା ଦଳ ତରଫରୁ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାରିପଦା ନଗରପାଳ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ ଦେବାଶିଷ ମହାନ୍ତି, ସମ୍ପା ମଜୁମଦାର, ପ୍ରୀତିନନ୍ଦା କାନୁନ୍‌ଗୋ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।