Categories: ଜାତୀୟ

ସ୍ବାଭିମାନୀ ସମାଜବାଦୀ

ନୂଆଦିଲ୍ଲୀ,୧୩ା୧: ୧୯୪୭ ଜୁଲାଇ ୧ରେ ମଧ୍ୟପ୍ରଦେଶର ହୋସଙ୍ଗାବାଦସ୍ଥିତ ବାବାଇ ଗ୍ରାମରେ ଶରଦ ଯାଦବଙ୍କ ଜନ୍ମ। ତାଙ୍କ ମା’ଙ୍କ ନଁା ସୁମିତ୍ରା ଦେବୀ ଓ ବାପା ଥିଲେ ନନ୍ଦ କିଶୋର ଯାଦବ। ଜବଲପୁର ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ ପରେ କୃଷି ପ୍ରତି ମନବଳାଇଥିବା ଶରଦଙ୍କ ରାଜନୈତିକ କ୍ୟାରିୟର ବିହାରରେ କେନ୍ଦ୍ରୀଭୂତ ହୋଇଥିଲେ ହେଁ ଜାତୀୟ ରାଜନୀତିରେ ତାଙ୍କ ପରାକାଷ୍ଠାକୁ କେହି ଅସ୍ବୀକାର କରିପାରିବେ ନାହିଁ। ୧୯୮୯ ଫେବୃୟାରୀ ୧୫ରେ ସେ ରେଖା ଯାଦବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କ ଝିଅ ସୁଭାଶିନୀ ରାଜାରାଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇଥିଲେ। ପୁଅ ଶାନ୍ତନୁ ବୁନ୍ଦେଲା ଲଣ୍ଡନ ୟୁନିଭର୍ସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଭାରତୀୟ ରାଜନୀତିର ଏହି ବିଶିଷ୍ଟ ଜନନେତାଙ୍କୁ ଚିକିତ୍ସା ପାଇଁ ଗୁରଗାଓଁସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୫ ବର୍ଷ ବୟସରେ ଗୁରୁବାର ରାତି ୧୦ଟା ୧୯ ମିନିଟ୍‌ରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଶରଦ ଯାଦବଜୀ ଚାଲିଯିବା ମୋତେ ବ୍ୟଥିତ କରିଛି। ସାର୍ବଜନୀନ ଜୀବନରେ ସେ ଜଣେ ଉଚ୍ଚକୋଟୀର ଏମ୍‌ପି ଏବଂ ମନ୍ତ୍ରୀ ଥିଲେ। ଡକ୍ଟର ରାମମନୋହର ଲୋହିଆଙ୍କ ଆଦର୍ଶ ପ୍ରତି ସେ ଅନୁପ୍ରାଣିତ ହୋଇଥିଲେ। ଶରଦଙ୍କ ସହ ବିତାଇଥିବା ମୁହୂର୍ତ୍ତ ମୋ ପାଇଁ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଖାର୍ଗେ କହିଛନ୍ତି, ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ଦେଶରେ ସାମାଜିକ ଆନ୍ଦୋଳନର ଅଗ୍ରଦୂତ ଶରଦ ଅନେକ ଦଶନ୍ଧି ଧରି ସଂସଦରେ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ରାଜନୀତିକୁ ସେ ବଳ ଦେଇଛନ୍ତି। ଏଲ୍‌ଜେପି (ପାଶ୍ୱାନ) ନେତା ଚିରାଗ ପାଶ୍ୱାନ କହିଛନ୍ତି, ଦେଶର ବରିଷ୍ଠତମ ସମାଜବାଦୀ ନେତା ଶରଦ ମୋର ପିତୃତୁଲ୍ୟ ଥିଲେ। ତାଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଶରଦଙ୍କୁ ‘ମଣ୍ଡଳ ତ୍ରାଣକର୍ତ୍ତା’ ଭାବେ ଅଭିହିତ କରିବା ସହ ତାଙ୍କ ପରଲୋକ ସମାଜବାଦୀ ପରିବାର ପାଇଁ ଏକ ଦୁଃଖଦ ଦିନ ବୋଲି କହିଛନ୍ତି। ଭାଜପା ଏମ୍‌ପି ସୁଶୀଲ କୁମାର ମୋଦି କହିଛନ୍ତି, ଶରଦ ମୋର ରାଜନୈତିକ ମାର୍ଗଦର୍ଶକ ଥିଲେ। ମୋତେ ଉପମୁଖ୍ୟମନ୍ତ୍ରୀ କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା। ଶରଦଙ୍କ ଅବଦାନକୁ ବିହାର କେବେହେଲେ ଭୁଲିପାରିବ ନାହିଁ।

Share