ଜମି ବିବାଦ: ଶୁଣିଲାଣି ପ୍ରଶାସନ, ଜବରଦଖଲ ଉଚ୍ଛେଦ କଲା ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡ଼ି,୧୫ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିକୁ ନେଇ ବିବାଦ ଦେଖାଦେଇଛି। ଏହି କାରଣରୁ ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ଜମିରୁ ଜବରଦଖଲ ହଟାଇଛନ୍ତି। ଏଥିପାଇଁ ସେମାନେ ଉକ୍ତ ଜମିରେ ରହିଆସୁଥିବା ସନ୍ନ୍ୟାସୀ ଦିଗାଲଙ୍କ ପାଇଖାନା ଘର ସମେତ ସେମାନେ ରହୁଥିବା ଘର ଭାଙ୍ଗିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।

ମାତୃଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ କହିବା ଅନୁଯାୟୀ, ସେମାନେ ଗତ ୩୦ବର୍ଷ ହେଲା ଉକ୍ତ ଜମିରେ ଏକ ଝାଟିମାଟି ଘର କରି ସେଠାରେ ଖଲିପତ୍ର ପ୍ରସ୍ତୁତ ସହ ସିଲେଇ ମେଶିନ ପକାଇ ରୋଜଗାର କରି ଚଳୁଥିଲେ। ତେବେ ନୂଆଗାଁ ଥାନା ଅଞ୍ଚଳର ସନ୍ନ୍ୟାସୀ ଦିଗାଲ ଗତ କିଛି ବର୍ଷ ତଳେ ସିମନବାଡ଼ିରେ ଥିବା ଏକ ଘରୋଇ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ କୁଆଡ଼େ ସନ୍ନ୍ୟାସୀ ମାତୃଶକ୍ତି ସଂଘର ଘରେ ଆଶ୍ରୟ ପାଇଁ ନିବେଦନ କରିଥିଲେ। ତାଙ୍କୁ ସଂଘ ଆଶ୍ରୟ ଦେଇଥିଲା। ସନ୍ନ୍ୟାସୀ ତାଙ୍କର ନିଜସ୍ବ ଘର ନିର୍ମାଣ ପରେ ସେ ଉକ୍ତ ଜମିକୁ ଛାଡ଼ିଦେବା କହି ମାତୃଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସହ ଏକ ଚୁକ୍ତିନାମା କରିଥିଲେ। ଗତ ୨୦୧୨ରେ ଏନେଇ ଏକ ଚୁକ୍ତିନାମା କରାଯାଇଥିଲା। ତେବେ ସନ୍ନ୍ୟାସୀ ସେଠାରେ ରହି ଆସିଥିବା ବେଳେ ସଂଘ ଉକ୍ତ ଜମି ଛାଡ଼ିବାକୁ ସନ୍ନ୍ୟାସୀଙ୍କୁ କହିଥିଲେ ଗୋଷ୍ଠୀର ସଦସ୍ୟମାନେ। ଏଥିରେ ସନ୍ନ୍ୟାସୀ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ପରବର୍ତ୍ତୀ ସମୟରେ ଏବେ ସନ୍ନ୍ୟାସୀ ଉକ୍ତ ଜମିରେ ପକ୍କା ଘର ନିର୍ମାଣ କରୁଥିଲେ। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହ ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଥାନା ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିବା ସଂଘ ଅଭିଯୋଗ କରିଛି। ଫଳରେ ସଂଘର ମହିଳା କିଛି ସମର୍ଥକଙ୍କୁ ନେଇ ଜବରଦଖଲ ଉଚ୍ଛେଦ କରିଥିଲେ। ସେଠରେ ଅପ୍ରୀତିକର ପରିସ୍ଥିତି ଘଟିଥିଲେ ସୁଦ୍ଧା ପୋଲିସ ପ୍ରଶାସନ ବିଳମ୍ବରେ ପହଞ୍ଚିଥିଲା।

ସେପଟେ ସନ୍ନ୍ୟାସୀଙ୍କ ପରିବାର ଖୋଲା ଆକାଶ ତଳେ ରହିଛନ୍ତି। ଏନେଇ ସନ୍ନ୍ୟାସୀ କହିଛନ୍ତି, ସେ ଦୀର୍ଘବର୍ଷ ଧରି ସରକାରୀ ଜମିରେ ଘର କରି ରହିଛନ୍ତି। କିଛି ଲୋକ ଆମକୁ ଈର୍ଷା ପରାୟଣ ହୋଇ ଏଭଳି ହିଂସା ଘଟାଉଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଏବଂ ଦାରିଙ୍ଗବାଡି ନୂତନ ତହସିଲଦାର ଅଶୋକ ଦାସ ପହଞ୍ଚି ତଦନ୍ତ କରୁଛନ୍ତି। ପ୍ରକୃତ ଜମି କାହାର ସେ ନେଇ ତଦନ୍ତ ଚାଲିଥିବା କୁହାଯାଇଛି।