Categories: ଜାତୀୟ

ଗ୍ୟାସ୍‌ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍‌ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ବହୁ ଭଉଣୀ ଉଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ମାଗଣା ଗ୍ୟାସ ସଂଯୋଗ ଏବଂ ଗ୍ୟାସ ଚୁଲା ପାଇଛନ୍ତି। ସମସ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଗ୍ୟାସ୍‌ ସଂଯୋଗ ପାଇଁ ଠିକଣାର ପ୍ରମାଣ ଦେବାକୁ ପଡୁଥିଲା। ମାତ୍ର ଏବେ କେବଳ ସେଲ୍ଫ ଡିକ୍ଲେରେଶନ୍‌ ପର୍ଯ୍ୟାପ୍ତ। ସେଲ୍ଫ ଡିକ୍ଲେରେଶନ୍‌ ଦ୍ୱାରା ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ସହଜରେ ମିଳିପାରୁଛି ବୋଲି ସେ କହିଛନ୍ତି। ଉଜ୍ୱଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ୮ କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ୨ କୋଟିରୁ ଅଧିକ ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯାଇଛି। ଏହି ଘରଗୁଡିକର ଅଧିକାଂଶ ମାଲିକାନା ଅଧିକାର ମହିଳାମାନଙ୍କର ରହିଛି। ଆଗାମୀ ଦିନରେ ପାଣି ପାଇପ ଭଳି ରୋଷେଇ ଘରେ ଗ୍ୟାସ୍‌ ସଂଯୋଗ ମଧ୍ୟ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ପାଇପ୍‌ ଦ୍ୱାରା ଗ୍ୟାସ୍‌ ଯୋଗାଣ ସିଲିଣ୍ଡର ତୁଳନାରେ ଶସ୍ତାରେ ମିଳିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ପ୍ରଥମେ ଉତ୍ତରାଖଣ୍ଡର ହିତାଧିକାରୀ ବୁନ୍ଦିି ଦେବୀଙ୍କ ସହ କଥା ହୋଇଥିଲେ। ଏହି ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଏଲ୍‌ପିଜି ସଂଯୋଗର ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବୁନ୍ଦି ଦେବୀ ବଖାଣି ଥିଲେ।
ସୂଚନାଯୋଗ୍ୟ,୨୦୧୬ ମସିହାରେ ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏପ୍ରିଲ ୨୦୧୮ ରେ ଏହି ଯୋଜନାରେ ଏସସି / ଏସଟି, ପିଏମ୍‌ଏଓ୍ବାଇ, ଏଏଓ୍ବାଇ, ଅତ୍ୟଧିକ ପଛୁଆ ଶ୍ରେଣୀ, ଚା ବଗିଚା, ବନବାସୀ, ଦ୍ୱୀପପୁଞ୍ଜ ଆଦି ସାତୋଟି ବର୍ଗର ମହିଳା ହିତାଧିକାରୀଙ୍କୁ ସାମିଲ୍‌ କରାଯାଇଥିଲା। ଏହାର ଲକ୍ଷ୍ୟକୁ ୮ କୋଟି ଏଲ୍‌ପିଜି ସଂଯୋଗ ଧାର୍ଯ୍ୟ କରାଯାଇଥିଲା। ଧାର୍ଯ୍ୟ ତାରିଖର ସାତ ମାସ ପୂର୍ବରୁ ଅଗଷ୍ଟ ୨୦୧୯ରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଥିଲା।

Share