କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ: ୨ ଗିରଫ

ସୋନପୁର,୯।୮(ନି.ପ୍ର.): ସୋନପୁର ଟାଉନ ପୋଲିସ ହରଡଖୋଲ ଛକ ଠାରେ ଚଢାଉ କରି ଶାଳ କାଠ ଚୋରା ଚାଲାଣରେ ନିୟୋଜିତ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଧରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ପୋଲିସ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଏବଂ କାଠ ଚୋରାଚାଲଣ କରୁଥିବା କଳାହାଣ୍ଡି ଜିଲା ଏମ.ରାମପୁର ଥାନା ରିଷିଡାର ଜଗବନ୍ଧୁ ବରିହା(୨୩) ଓ ଭ୍ୟାନ୍‌ର ଡ୍ରାଇଭର ତଥା ବଲାଙ୍ଗୀର ଜିଲା ତୁଷୁରା ଥାନା କୋଟଗାଁର ମୁକେଶ ମନହିରା(୨୭)ଙ୍କୁ ବନ ବିଭାଗର ଜିମା ଦେଇଥିଲା । ସୋନପୁର ଫରେଷ୍ଟ ରେଞ୍ଜ ଅଫିସ ପକ୍ଷରୁ ୭୮/୨୨ ମୂଳେ ଏକ ମାମଲା ରୁଜୁ କରାଯାଇଥିବା ସୋନପୁର ବନକ୍ଷେତ୍ରାଧିକାରୀ ମନୋରଞ୍ଜନ ବାଘ ସୂଚନା ଦେଇଛନ୍ତି। ବନ ବିଭାଗ ବୋଲେରୋ ପିକ୍‌ଅପ ଭ୍ୟାନ୍‌ (ନ୍‌ଂ ଓଡି୦୫ଏଏଫ-୫୪୨୭) ଏବଂ ୧୪୧ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରିଛି । ସେହିଭଳି କାଠ ବ୍ୟବସାୟୀ ଜଗବନ୍ଧୁ ଓ ଡ୍ରାଇଭର ମୁକେଶଙ୍କୁ ବନ ବିଭାଗ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଚୋରା କାଠ ବ୍ୟବସାୟୀମାନେ କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ଜିଲାରୁ କାଠ ଆଣି ସୁବର୍ଣ୍ଣପୁର ଜିଲାରେ ବିକ୍ରି କରୁଥିବା ଅଭିଯୋଗ ହେଉଛି ।