ପ୍ରଧାନୀ ଜଙ୍ଗଲରୁ ମୃତ ବାର୍‌ହା ଜବତ

ସିନାପାଲି,୨୫।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି। ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ବାର୍‌ହା ଉଦ୍ଧାର କରିଥିଲେ। ପଶୁ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ସ୍ଥାନୀୟ ସରଧାପୁର ନର୍ସରୀ ପରିସରରେ ପୋତି ଦିଆଯାଇଛି। ବାର୍‌ହା ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସମ୍ପୃକ୍ତ ପଶୁ ଡାକ୍ତର ପ୍ରକାଶ କରିଛନ୍ତି। ଆଜକୁ ପ୍ରାୟ ଦଶ ବର୍ଷରୁ ଊଦ୍ଧର୍‌ବ ହେବ ଏହି ଜଙ୍ଗଲରେ ନିଆଁ ଲାଗି ନାହିଁ। ଏହା କେବଳ ବନ୍ୟଜନ୍ତୁଙ୍କ ଦ୍ୱାରା ଓ ବନ୍ୟଜନ୍ତୁଙ୍କ ପାଇଁ ହିଁ ହୋଇପାରିଛି। ବନ୍ୟଜନ୍ତୁ ସୁରକ୍ଷା ପ୍ରତି ଆମେ ବିଶେଷ ଧ୍ୟାନ ଦେବାର ଜରୁରୀ ଅଛି ବୋଲି ସରପଞ୍ଚ ସୁନାନୀ ପ୍ରକାଶ କରିଥିଲେ।