୧୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ମହିଳା ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫ

ଅନୁଗୋଳ,୧୪।୯: ଅନୁଗୋଳରୁ ପୁଣି ବ୍ରାଉନ୍‌ସୁଗାର ଜବତ ହୋଇଛି।ଏହାକୁ ବିକ୍ରି ପାଇଁ ନେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଧିକାରୀମାନେ ଘଟଣାରେ ସମ୍ପୃକ୍ତ ମହିଳା ମାଷ୍ଟରମାଇଣ୍ଡଙ୍କ ସହ ତାଙ୍କ ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲେ।

ମାଷ୍ଟରମାଇଣ୍ଡ ଜଣଙ୍କ ହେଲେ ନାଲ୍‌କୋ ଥାନା ଅଞ୍ଚଳ ଗିରାଙ୍ଗ ଗ୍ରାମର ଝିଲି ସାହୁ(୨୪) ଏବଂ ତାଙ୍କ ସହଯୋଗୀ ବ୍ରହ୍ମପୁର ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ଅବକାରୀ ଏସ୍‌ପି ମଧୁସ୍ମିତା ନାଏକ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୧୪୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ବୋଲି ଏସ୍‌ପି ନାଏକ କହିଛନ୍ତି। ଏଥିସହ ତାଙ୍କଠାରୁ ଏକ ସ୍କୁଟି(ନଂ.ଓଡି୧୯-ଇୟୁ-୫୬୨୬) ଜବତ କରାଯାଇଛି। ଦୁହେଁ ସ୍କୁଟି ଯୋଗେ ନାଲ୍‌କୋ ଅଞ୍ଚଳରୁ ତାଳଚେରକୁ ଏହି ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ବେଳେ ମୁଣ୍ଡାବଜାର ଛକରେ ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝାଙ୍କ ସହ ଟିମ୍‌ ସେମାନଙ୍କୁ କାବୁ କରିଥିଲେ।