୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ: ୭ ଗିରଫ

କୁତ୍ରା,୧୪ା୫(ଡି.ଏନ.ଏ.): ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୁନ୍ଦରଗଡ ଜିଲା କୁତ୍ରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଚଢ଼ାଉ କରଯାଇଛି। ଚଢାଉ ବେଳେ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, କୁତ୍ରା ଅଞ୍ଚଳର ଖତକୁରବାହାଲସ୍ଥିତ ମାଲିପଡା, ରାଞ୍ଚତ୍ରୋଡ ନିକଟ ଧାଙ୍ଗିରିଧୁକା ଏବଂ ତେଲିଘଣାରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ଉପରୋକ୍ତ ପରିମାଣର ମହୁଲି ପୋଚ ଏବଂ ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ଏହି ଅଞ୍ଚଳରେ ବ୍ୟାପକ ଭାବେ ମହୁଲି ମଦ ପ୍ରସ୍ତୁତ କରାଯିବା ସହ ବିକ୍ରି କରାଯାଉଥିବା ନେଇ ଅବକାରୀ ଓ ପୋଲିସ ବିଭାଗ ନିକଟରେ ପୂର୍ବରୁ ସୂଚନା ରହିଛି। ଏପରିକି ପୂର୍ବରୁ ମଧ୍ୟ ସେହି ସବୁ ଅଞ୍ଚଳରେ ଉଭୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହାସତ୍ତ୍ୱେ ଏଠାରେ ନିୟମିତ ଭାବେ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବାରୁ ମାଜିଷ୍ଟ୍ରେଟ ଭାବେ କୁତ୍ରା ତହସିଲଦାର ମାନସୀ ନାଏକଙ୍କ ଉପସ୍ଥିତିରେ ସମ୍ବଲପୁର ଅବକାରୀ ବିଭାଗ ମୋବାଇଲ ୟୁନିଟ, ସୁନ୍ଦରଗଡ , ବଡଗଁା, ରାଜଗାଙ୍ଗପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଓ କୁତ୍ରା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ଦେଶୀ ମଦ ବିକ୍ରି କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅବକାରୀ ବିଭାଗ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳୁଛି। ବଡ଼ଗଁା ଓ ରାଜଗାଙ୍ଗପୁର ଅବକାରୀ ବିଭାଗର ଅଧିକାରୀମାନଙ୍କୁ ପଚାରିଲେ ଜଣେ ଜଣଙ୍କ ମୁଣ୍ଡରେ ଅଠା ବୋଳି ନିଜ ମୁଣ୍ଡରୁ ଦୋଷ ଖସାଇବାରେ ଲାଗିଛନ୍ତି କିନ୍ତୁ ସୂଚନା ପ୍ରଦାନ କରୁନାହାନ୍ତି। ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାରେ ଅବକାରୀ ବିଭାଗ ଡ଼ରୁଛି ନା ଅନ୍ୟ କିଛି କାରଣ ରହିଛି ତାହା ପ୍ରଶବାଚୀ ସୃଷ୍ଟି କରୁଛି। ଏପରି କି ସଲାସୁତୁରା କରିବା ପାଇଁ ଉଦ୍ୟମ କରୁଛି ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି।