ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍ରେ ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ, ବରଂ ନିଜ ଘାତକ ବୋଲିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସାନ ପୁଅ ବେଦାନ୍ତ ସେହ୍ବାଗ। କୁଚ ବିହାର ଟ୍ରଫି ଏଲିଟ ଟୁର୍ନାମେଣ୍ଟରେ ଦିଲ୍ଲୀ ଅଣ୍ଡର-୧୯ ପକ୍ଷରୁ ଖେଳି ପଞ୍ଜାବ ଅଣ୍ଡର-୧୯ ବିପକ୍ଷରେ ଗୋଟିଏ ଇନିଂସରେ ୭ଟି ଉଇକେଟ ହାସଲ କରିଛନ୍ତି ସେ। ଆଉ ଏହି ପ୍ରଦର୍ଶନ ପରେ କ୍ରିକେଟ ମହଲରେ ବେଦାନ୍ତଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସବୁଠୁ ଖାସ କଥା ହେଉଛି, ଏହି ଟୁର୍ନାମେଣ୍ଟରେ ଦିଲ୍ଲୀ ଅଣ୍ଡର-୧୯ ଦଳର ଅଧିନାୟକ ଅଛନ୍ତି ବୀରେନ୍ଦ୍ର ସେହ୍ବାଗଙ୍କ ବଡ଼ ପୁଅ ଆର୍ଯ୍ୟବୀର ସେହ୍ବାଗ। ଅର୍ଥାତ୍ ଗୋଟିଏ ଦଳରେ ଦୁଇ ଭାଇ ଖେଳୁଥିବା ବେଳେ ସାନ ଭାଇଙ୍କ ବୋଲିଂ ପ୍ରଦର୍ଶନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଚାରି ଦିନିଆ ଏହି ମୁକାବିଲାର ପ୍ରଥମ ଦିନରେ ଦିଲ୍ଲୀ ପକ୍ଷରୁ ବୋଲିଂ କରିବାକୁ ଆସି ବେଦାନ୍ତ ନିଜର ଦମ ଦେଖାଇଥିଲେ। ସେ ୨୨.୩ ଓଭର ବୋଲିଂ କରି ୫ଟି ମେଡେନ ଓଭର ସହ ମାତ୍ର ୮୮ ରନ ବ୍ୟୟ କରି ୭ଟି ଉଇକେଟ ନିଜ ନାମରେ କରିଥିଲେ।
ପଞ୍ଜାବର ପ୍ରଥମ ଇନିଂସରେ ପଡ଼ିଥିବା ମୋଟ ୧୦ଟି ଉଇକେଟ୍ରୁ ୭ଟି ଉଇକେଟ ଏକାକୀ ନେଇଥିଲେ ବେଦାନ୍ତ। ତାଙ୍କୁ ଅନ୍ୟ ବୋଲରମାନେ ମଧ୍ୟ ଭଲ ସହଯୋଗ କରିଥିଲେ। ନକୁଳ ଯାଦବ ୭ ଓଭରରେ ୨୫ ରନ ଦେଇ ଗୋଟିଏ ଉଇକେଟ ନେଇଥିବା ବେଳେ ରାହୁଲ ରାକେଶ ଯାଦବ ଓ ଅର୍ଣ୍ଣବ ବୁଗ୍ଗା ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଦିଲ୍ଲୀ ବୋଲରଙ୍କ ଘାତକ ପ୍ରଦର୍ଶନ ଯୋଗୁ ପଞ୍ଜାବ ଅଣ୍ଡର-୧୯ ଦଳର ପ୍ରଥମ ଇନିଂସ ମାତ୍ର ୨୩୮ ରନ୍ରେ ସୀମିତ ରହିଥିଲା।
ପଞ୍ଜାବ ପକ୍ଷରୁ ସାହିଜ ବୋତବୀର ସିଂହ ସର୍ବାଧିକ ୬୧ ରନ କରିଥିଲେ। ସେ ୧୧୬ଟି ବଲ୍ରୁ ୧୦ଟି ଚୌକା ମାରିଥିଲେ। ସେହିପରି ନୂରବୀର ସିଂହ ୫୮ଟି ବଲ୍ରୁ ୯ଟି ଚୌକା ଓ ୨ଟି ଛକା ସହ ୫୮ ରନ କରିଥିଲେ। ପଞ୍ଜାବର ୨୩୮ ରନ୍ର ଜବାବରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦିଲ୍ଲୀ ଅଣ୍ଡର-୧୯ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪୦ ଓଭରରେ ୨ଟି ଉଇକେଟ ହରାଇ ୧୦୪ ରନ କରିଛି। ଦଳ ଏବେ ମଧ୍ୟ ପ୍ରଥମ ଇନିଂସ ଆଧାରରେ ୧୩୪ ରନ ପଛରେ ରହିଛି ଏବଂ ହାତରେ ୮ଟି ଉଇକେଟ ବାକି ଅଛି।
ଦଳର ଅଧିନାୟକ ଆର୍ଯ୍ୟବୀର ସେହ୍ବାଗ କ୍ରିଜ୍ରେ କିଛି ସମୟ ବିତାଇଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ। ସେ ୯୪ଟି ବଲ୍ରେ ୩୧ ରନ କରି ଆଉଟ ହୋଇଥିଲେ। ନିକଟରେ ଅଣ୍ଡର-୧୯ ଏସିଆ କପ୍ରେ ଭାରତକୁ ଚାମ୍ପିଅନ କରିବାରେ ଆର୍ଯ୍ୟବୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ତେବେ ଏବେ ସମସ୍ତଙ୍କ ନଜର ବେଦାନ୍ତଙ୍କ ଉପରେ ରହିଛି। ବାପା ବୀରେନ୍ଦ୍ର ସେହ୍ବାଗ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ବେଳେ ପୁଅ ବେଦାନ୍ତ ବୋଲିଂରେ ନିଜର ପରିଚୟ ସୃଷ୍ଟି କରିବା ଦିଗରେ ଆଗକୁ ବଢ଼ୁଛନ୍ତି।