ଅମ୍ବାନୀଙ୍କଠାରୁ ବି ମହଙ୍ଗା ସେହ୍ବାଗଙ୍କ ସ୍କୁଲ; ଜାଣନ୍ତୁ ଏହାର ଫିସ୍‌, କ୍ରିକେଟରଙ୍କ ରୋଜଗାର…

ନୂଆଦିଲ୍ଲୀ,୬।୯: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ ବେଶ ଲୋକପ୍ରିୟ। ୨୩ ଏକର ଜମିରେ ପରିବ୍ୟାପ୍ତ ଏହି ସ୍କୁଲ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୪ରେ ସେହ୍ବାଗ ସ୍କୁଲ ଖୋଲିବାକୁ ୨୦-୩୦ କୋଟି ଟଙ୍କା ଆବଶ୍ୟକ ବୋଲି କହିଥିଲେ। ଏଥିପାଇଁ ସେ କରଜ ନେବା ସହ ନିଜର ଟଙ୍କା ଲଗାଇଥିଲେ। ୨୦୨୧ରେ କରାଯାଇଥିବା ଆକଳନ ଅନୁଯାୟୀ ଏହାର ରାଜସ୍ବ ୧୨୫ କୋଟି ଟଙ୍କା ଥିଲା।

‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ରେ ୪ର୍ଥରୁ ଦ୍ୱାଦଶ ପର୍ଯ୍ୟନ୍ତ ଓ୍ବାନ୍‌ ଟାଇମ୍‌ ରେଜିଷ୍ଟ୍ରେଶନ ଫିସ୍‌ ୩୦୦୦ ଟଙ୍କା ଏବଂ ଆଡମିଶନ ଫିସ୍‌ ୩୦୦୦୦ ଟଙ୍କା ଅଟେ। ସେହିଭଳି ୪ରୁ ୮ମ ଶ୍ରେଣୀ ପାଇଁ ବାର୍ଷିକ ଫିସ୍‌ ୪ ଲକ୍ଷ, କ୍ଲାସ ୯ରୁ ଦ୍ୱାଦଶ ଯାଏ ୪.୧୪ଲକ୍ଷ ଟଙ୍କା। ଏଥିରେ ଟ୍ୟୁଶନ, ବୋଡିଂ ଏବଂ ସ୍ପୋଟ୍ସ ଫିସ୍‌ ରହିିଛି। କମ୍ପ୍ୟୁଟର ଏବଂ ଲ୍ୟାବ୍‌ ଲାଗି ୪ର୍ଥରୁ ୮ମ ଯାଏ ୭୦୦୦ଟଙ୍କା ଏବଂ ୯ମରୁ ଦ୍ୱାଦଶ ଯାଏ ୮୦୦୦ ଟଙ୍କା ରହିିଛି। ସ୍କୁଲରେ ଇଣ୍ଟରନେଟ ସେବା, ଲଣ୍ଡ୍ରି, ଫେଷ୍ଟିଭାଲ ସେଲିବ୍ରେଶନ, ଏଜୁକେଶନାଲ ଟୁର, ଆଡଭେଞ୍ଚର କ୍ୟାମ୍ପ ଏବଂ ମେଡିକାଲ ସର୍ଭିସ ସାମିଲ ଅଛି।

ଅପରପକ୍ଷେ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ଏଲ୍‌କେଜିରୁ ୭ମ କ୍ଲାସ ପର୍ଯ୍ୟନ୍ତ ଫିସ୍‌ ୧.୭୦ ଲକ୍ଷ ଏବଂ ୮ମ ଶ୍ରେଣୀରୁ ୧୦ମ ପର୍ଯ୍ୟନ୍ତ ୧.୮୫ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ମୋଟାମୋଟି ଦେଖିଲେ ସେହ୍ବାଗଙ୍କ ସ୍କୁଲ ଅମ୍ବାନୀ ସ୍କୁଲରୁ ବେଶ ମହଙ୍ଗା।

ସେହ୍ବାଗଙ୍କ ମୋଟ ସମ୍ପତ୍ତି ଦେଖିଲେ ସେ ପ୍ରାୟ ୩୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, କମେଣ୍ଟ୍ରି ଆଦିରୁ ସେ ଏବେ ବି ଭଲ ରୋଜଗାର କରୁଛନ୍ତି।