ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ ଉତ୍ତର ଦେଲେ କିଛି ଏହିପରି ଯେ ସେ ନିଜ ଘରେ ସମସ୍ତ ସଦସ୍ୟ (ଅର୍ଥାତ୍‌ ସ୍ତ୍ରୀ, ପୁଅଝିଅ, ମା’ବାପା)ଙ୍କୁ ନେଇ ତାଙ୍କ ଛୋଟିଆ ବାସଭବନଟିରେ ବର୍ତ୍ତମାନ ଆଉ ରହିପାରିବେ ନାହିଁ। ତାଙ୍କ ଭବନଟି ଏତେ ଛୋଟ ଯେ ସେ ଅଣନିଃଶ୍ବାସୀ ହୋଇଗଲେଣି। ସେ ନା ଘର ଛାଡ଼ିପାରୁଛନ୍ତି ନା ରହିପାରୁଛନ୍ତି।
ସାଧୁ ଜଣକ ତାଙ୍କୁ ପଚାରିଲେ, ତୁମେ ଛେଳି, କୁକୁଡ଼ା କିଛି ପାଳିଛ କି? ବ୍ୟକ୍ତି ଜଣକ ହଁ ଭରିଲେ। ଅତଏବ ସାଧୁବାବା ପରାମର୍ଶ ଦେଲେ ଯେ- ଯଦି ସେ ତିନି ରାତି ନିଜ ଘରେ ସମସ୍ତ ପରିବାର ସଦସ୍ୟ ସହ ଛେଳି ଓ କୁକୁଡ଼ା ସମେତ ଶୟନ କରିବେ, ତା’ ହେଲେ ତାଙ୍କ ଘରଟି ଅଲୌକିକ ଘଟଣା କ୍ରମରେ କିଞ୍ଚିତ ବଡ଼ ହୋଇଯିବ ତା’ ପର ଦିନ। ଗୃହକର୍ତ୍ତା ସାଧୁଙ୍କ ଉପଦେଶ ମାନି ତିନି ଦିନ ଓ ତିନି ରାତି ଛେଳି ଓ କୁକୁଡ଼ାଙ୍କୁ ରାତିରେ ଘରେ ରଖି(ମେଁ ଓ କକରେ କ…) ବିନିଦ୍ର ରାତ୍ରିଯାପନ କଲେ ଚମତ୍କାର ଆଶାରେ। ଚତୁର୍ଥ ଦିବସ ପ୍ରାତଃ ସମୟରେ ସେ ଦେଖିଲେ, ଘରଟିର କଳେବରରେ କାଣିଚାଏ ପରିବର୍ତ୍ତନ ବି ହୋଇନାହିଁ। ଅତ୍ୟନ୍ତ ବିବ୍ରତ ଚିତ୍ତରେ ସେ ପହଞ୍ଚିଲେ ସାଧୁଙ୍କ ଆଶ୍ରମରେ। ବ୍ୟକ୍ତ କଲେ ଗତ ତ୍ରି-ଦିବସୀୟ ବିନିଦ୍ର ରଜନୀର ବିରକ୍ତିକର ଅଭିଜ୍ଞତା। ସାଧୁ ଜଣକ କହିଲେ ଯେ – ଆଜି ରାତିରେ ହେବ, ସେହି ବହୁ ପ୍ରତୀକ୍ଷିତ ଚମତ୍କାର – ଅର୍ଥାତ୍‌ ଘରଟି ବଡ଼ ହୋଇଯିବ (କିନ୍ତୁ ଆଜି ରାତିରେ ଛେଳି କିମ୍ବା କୁକୁଡ଼ା ଘର ଭିତରକୁ ଯିବା ମନା)। ବ୍ୟକ୍ତି ଜଣକ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲେ ସ୍ବଗୃହାଭିମୁଖେ। ସା ଉପଗତ ହୁଅନ୍ତେ ନିଦ୍ରା ଗଲେ ଓ ଗୋଟିଏ କଡରେ ପରଦିନ ସୂର୍ଯ୍ୟୋଦୟ ମୁହୂର୍ତ୍ତ। ସେ ସ୍ବପ୍ନରେ ଦେଖୁଥିଲେ – ଘରଟି ବୃଦ୍ଧି ପାଇଛି ଓ ସାଧୁ ଜଣକ ତାଙ୍କୁ ନିଦରୁ ଉଠାଉଛନ୍ତି। ସେତେବେଳକୁ ପ୍ରକୃତରେ ସାଧୁବାବା ସେଠାରେ ଉପସ୍ଥିତ। ସାଧୁ ପଚାରିଲେ – ଆଜି ଘରଟି ଲାଗୁଥିଲା କିପରି? ବ୍ୟକ୍ତି ଜଣକ ହସି ହସି ଉତ୍ତର ଦେଲେ – ମହାରାଜ, ଘରଟି ପ୍ରକୃତରେ ବୃଦ୍ଧି ପାଇନାହିଁ, କିନ୍ତୁ ଏଭଳି ସୁଖ ନିଦ୍ରା ସେ କେବେ ଯାଇଥିଲେ, ତାଙ୍କର ମନେ ନାହିଁ ଏବଂ ସ୍ବୀକାର କରିଥିଲେ ଯେ ଆଜି ଘରଟି ତାଙ୍କୁ ଖୁବ ବଡ଼ ଅନୁଭବ ହେଉଛି ଓ ଘରଟିରେ ଶାନ୍ତି ବିରାଜମାନ କରିଛି।
ପାଠକେ! ପ୍ରକୃତରେ ସୁଖ ନିଜ ଭିତରେ ହିଁ ଥାଏ : ଏହା ମନୋବୃତ୍ତିର ହିଁ ପ୍ରଭାବ। ଜୀବନରେ ସୁଖ ଓ ଦୁଃଖ ଦୁଇଟି ଅବିଭାଜ୍ୟ ଅଂଶ। କିନ୍ତୁ ଏହାର ପ୍ରକୃତ ଅର୍ଥ ବୁଝିବାକୁ ଯେତେବେଳେ ଆମେ ଗଭୀର ଭାବେ ଚିନ୍ତା କରୁ, ଦେଖାଯାଏ ଯେ ସୁଖ ବା ଦୁଃଖ ଆଉ କେହି ଆମକୁ ଦେଇପାରେ ନାହିଁ, ସେଥିର ମୂଳ ଉତ୍ସ ହେଉଛି ଆମର ନିଜ ମନ। ମନୋବୃତ୍ତି, ଭାବନା ଏବଂ ଚିନ୍ତାଧାରା ଏତେ ପ୍ରଭାବ ପକାଏ ଯେ’ ତାହା ଆମ ଜୀବନକୁ ସୁଖମୟ କିମ୍ବା ଦୁଃଖମୟ କରିଦିଏ।
ଆମେ ପ୍ରାୟତଃ ଧାରଣା କରୁ ଯେ ସୁଖ ବାହ୍ୟ ଜିନିଷରେ ରହିଛି ଅଧିକ ଧନ, ବଡ଼ ଘର, ନୂଆ ଜିନିଷ ବା ଅନ୍ୟମାନଙ୍କର ପ୍ରଶଂସା। କିନ୍ତୁ ଯଦି ସେଗୁଡ଼ିକୁ ଆମ ମସ୍ତିଷ୍କ ଉପରେ ଟିକିଏ ଜୋର୍‌ ଦେଇ ଭାବିବା, ଦେଖାଯାଏ ଯେ ଏହି ସବୁ ଜିନିଷ କେବଳ ଅସ୍ଥାୟୀ ଆନନ୍ଦ ଦେଇଥାଏ। ବାସ୍ତବ ସୁଖ ଥାଏ ମନରେ, ଅର୍ଥାତ୍‌ ମନ କେମିତି ପରିସ୍ଥିତିକୁ ଗ୍ରହଣ କରୁଛି, କେମିତି ଚିନ୍ତା କରୁଛି, କେମିତି ଦୃଷ୍ଟିକୋଣରୁ ଜୀବନକୁ ଦେଖୁଛି।
ଯେଉଁ ପରିସ୍ଥିତିରେ କିଏ କିଏ ଖୁସି ରହନ୍ତି, ଆଉ କେହି ସେହି ଏକା ପରିସ୍ଥିତିରେ ଅସନ୍ତୁଷ୍ଟ ହୋଇପାରନ୍ତି। କାରଣ ସେମାନଙ୍କର ମନୋବୃତ୍ତି ଭିନ୍ନ। ସକାରାତ୍ମକ ଚିନ୍ତାଧାରା ଥିବା ଲୋକ ଛୋଟ ଘଟଣାରେ ମଧ୍ୟ ସୁଖ ଖୋଜିନେବେ, ଯେଉଁଠି ନକାରାତ୍ମକ ଭାବନା ଥିବା ଲୋକ ସବୁଥିରେ ଦୁଃଖକୁ ଆମନ୍ତ୍ରଣ କରିଥାଏ। ମନୋବିଜ୍ଞାନ କହେ ଯେ ଆମେ ଯେଉଁ ଜିନିଷ ଦେଖୁଛୁ, ତା’ କଥା ଭାବୁ, କିନ୍ତୁ ପ୍ରକୃତ କଥା ତାହା ନୁହେଁ; ବାସ୍ତବିକ ଆମେ ଯେପରି ଭାବୁଛୁ, ସେହିପରି ଦେଖୁଛୁ। ଅର୍ଥାତ୍‌ ବାହ୍ୟ ଜଗତ ଅଧିକ ପ୍ରଭାବଶାଳୀ ନୁହେଁ, ଆମ ଭିତରର ଭାବନାଗୁଡ଼ିକ ଆମକୁ ବାସ୍ତବତା ପ୍ରଦର୍ଶନ କରେ। ଏହି କାରଣରୁ କୁହାଯାଏ ସୁଖ ଏକ ‘ମନସ୍ଥିତି’, ବାହ୍ୟ ବସ୍ତୁ ନୁହେଁ।
କସ୍ତୁରୀ ମୃଗ ବନସ୍ତସାରା ଘୂରି ବୁଲେ ସୁଗନ୍ଧଯୁକ୍ତ କସ୍ତୁରୀ ସନ୍ଧାନରେ, କିନ୍ତୁ ସେ ଅଜ୍ଞ ଯେ ଯାହା ସେ ଅନୁସନ୍ଧାନରତ ପ୍ରକୃତରେ ତାହା ତା’ ନିଜ ମଧ୍ୟରେ ସମାବିଷ୍ଟ। ସେହିପରି ଅନେକ ଲୋକ ସୁଖ ପାଇବାକୁ ଜୀବନଠାରୁ ଦୂରକୁ ଚାଲିଯାଆନ୍ତି, କିନ୍ତୁ ସେହି ସୁଖ ତାଙ୍କ ମନରେ ହିଁ ଥାଏ। ନିଜକୁ ଗ୍ରହଣ କରିବା, ଅଭାବ ନୁହେଁ ଆଶୀର୍ବାଦଗୁଡ଼ିକୁ ଚିହ୍ନଟ କରିବା, ଅନ୍ୟ ସହ ତୁଳନା ନ କରିବା ଓ ଧୈର୍ଯ୍ୟଧାରଣ ଏହି ସବୁ ଗୁଣ, ମନକୁ ଠିକ୍‌ ପଥରେ ରଖେ। ଯେମିତି ଶରୀରକୁ ସୁସ୍ଥ ରଖିବାକୁ ଅଭ୍ୟାସ ଦରକାର, ସେମିତି ମନକୁ ସୁଖୀ ରଖିବାକୁ ମଧ୍ୟ ସଚେତନ ଅଭ୍ୟାସ ଆବଶ୍ୟକ।
ସନ୍ତୋଷର ଅଭ୍ୟାସ ମନକୁ ଶାନ୍ତ କରେ। ଯେତେବେଳେ ଆମେ ନିଜର ଥିବା ଜିନିଷରେ କୃତଜ୍ଞ ହେବା ଶିଖୁ, ସେତେବେଳେ ଆମେ ଅପେକ୍ଷାର ଭାରରୁ ମୁକ୍ତି ପାଉ। ଅପେକ୍ଷା ବଢ଼ିଲେ ଦୁଃଖ ବଢ଼େ, ଅପେକ୍ଷା କମିଲେ ସୁଖ ବଢ଼େ।
ଅନ୍ୟକୁ ଖୁସି କରିବା, ସହାୟତା କରିବା, ସମ୍ପର୍କକୁ ଗଭୀର କରିବା ଏହି ସବୁ ଆମ ଅନ୍ତରାତ୍ମାରୁ ଆସୁଥିବା ସୁଖର ଉତ୍ସ। ଯିଏ ମନକୁ ସକାରାତ୍ମକ ରଖିବା ଜାଣେ, ସେ ସୁଖକୁ ଧରି ରଖିବାର ଗୁପ୍ତମନ୍ତ୍ର ଜାଣିଛି।
ଅତଏବ ସୁଖ ଖୋଜିବା ଯାତ୍ରା ମନରୁ ଆରମ୍ଭ ହୁଏ। ବାହାରୁ ଆରାମ ମିଳିପାରେ, କିନ୍ତୁ ସୁଖ ମିଳେ ନିଜର ଭିତର ପରିବେଶ ଠିକ୍‌ ଥିଲେ। ତେଣୁ ନିଜର ମନୋବୃତ୍ତିକୁ ସକାରାତ୍ମକ ରଖିବା, ଠିକ୍‌ ଭାବେ ଚିନ୍ତା କରିବା ଓ ପରିସ୍ଥିତିକୁ ସମ୍ମୁଖୀନ ହେବା ଏହି ସବୁ ହିଁ ସୁଖର ପ୍ରକୃତ ଉତ୍ପତ୍ତିସ୍ଥଳ।
ସୁଖ କେବେ ବାହାରେ ନୁହେଁ, ଆମର ମନର ଘରେ ହିଁ ଥାଏ। ଏହା ବୁଝିଗଲେ ଆମ ଜୀବନରେ ଦୁଃଖ କେବଳ ଅତିଥି ହୋଇ ଆସିବ ଓ କ୍ଷଣକେ ଅନ୍ତର୍ହିତ ହେବ ଏବଂ ସୁଖ ଆମର ନିତ୍ୟ ସଙ୍ଗୀ ହୋଇପାରିବ।

ଶ୍ୟାମା ପ୍ରସାଦ ମିଶ୍ର

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ,
ଭଞ୍ଜନଗର, ଗଞ୍ଜାମ,
ମୋ : ୯୦୯୦୫୦୭୯୫୫

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri