Categories: ଖେଳ

କୋହଲିଙ୍କ ଏମିତି ଅନ୍ଦାଜ ଦେଖି ହସି ହସି ଗଡିଲେ ଦ୍ରାଭିଡ

ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ପ୍ରସିଦ୍ଧ, କିନ୍ତୁ ବେଳେବେଳେ ତାଙ୍କର ମଜାଳିଆ ଶୈଳୀକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ମୁମ୍ବାଇ ଟେଷ୍ଟ ସମୟରେ କୋହଲିଙ୍କ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା। ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ସମୟରେ ବିରାଟ କୋହଲି ଏପରି କିଛି କରିଥିଲେ ଯାହା ଦେଖିବା ପରେ ସମସ୍ତେ ହସିବାକୁ ବାଧ୍ୟ ହୋଇଥିଲେ।
ତୃତୀୟ ଦିନରେ ଅକ୍ଷର ପଟେଲ ଏବଂ ଜୟନ୍ତ ଯାଦବ ଟିମ ଇଣ୍ଡିଆର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିଲେ, ସେତେବେଳେ ଭାରତର ଅଗ୍ରଣୀ ୫୦୦ ଅତିକ୍ରମ କରିଥିଲା ଏବଂ ସେହି ସମୟରେ ଇନିଂସ ଘୋଷିତ ହେବାକୁ ଅତି ନିକଟତର ହୋଇଥିଲା। ତା’ପରେ କ୍ୟାମେରା ଡ୍ରେସିଂ ରୁମରେ ଉପସ୍ଥିତ ଥିବା ବିରାଟ କୋହଲିଙ୍କ ଆଡକୁ ଯାଇଥିଲା। ଟିଭିରେ ନିଜକୁ ଦେଖି ବିରାଟ ଅକ୍ଷର ଏବଂ ପଡ଼ିଆରେ ଉପସ୍ଥିତ ଥିବା ଜୟନ୍ତ ଯାଦବଙ୍କ ଆଡକୁ ଇଙ୍ଗିତ କରି କିଛି କହୁଥିବାର ଦେଖାଯାଇଥିଲା। ପରେ ସେମାନଙ୍କ ଆଡକୁ ଚାହିଁ ଭଲ ଖେଳ ପାଇଁ କରତାଳି ଦେବା ଆରମ୍ଭ କରିଥିଲେ। ଲାଗୁଥିଲା ଯେମିତି ବିରାଟ ଇନିଂସ ଘୋଷଣା କରୁଛନ୍ତି, କିନ୍ତୁ ସେ କ୍ୟାମେରାମ୍ୟାନ୍‌ଙ୍କ ସହ ମଜାକ ଉଡାଉଥିଲେ। ଏହା ଦେଖି ପାଖରେ ବସିଥିବା କୋଚ ରାହୁଲ ଦ୍ରାଭିଡ ହସିଥିଲେ।

Share