Categories: ଖେଳ

କୋହଲିଙ୍କ ଫିଟ୍‌ନେସକୁ ଦେଖି ଚିନ୍ତିତ ମା’ ଏମିତି କହୁଥିଲେ

ନୂଆଦିଲ୍ଲୀ, ୨୪।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ପାଇଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ପାଇଁ ରୋଲ୍‌ ମଡେଲ ହୋଇପାରିଛନ୍ତି। ସୁନ୍ଦର ଶରୀର ପାଇଁ କୋହଲି ନିଜକୁ ଫିଟ୍‌ନେସ ଆଇକନ କରିପାରିଛନ୍ତି। କୋହଲି ତାଙ୍କ ଫିଟ୍‌ନେସକୁ ନେଇ ଏତେମାତ୍ରାରେ ଚିନ୍ତିତ ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜର ଖାଦ୍ୟ ଓ ବ୍ୟାୟାମକୁ ଅଣଦେଖା କରି ନ ଥାନ୍ତି। ନିକଟରେ ଲକ୍‌ ଡାଉନ ସମୟରେ କୋହଲି ଘରେ ରହିଥିବା ଜିମ୍‌ ଉପକରଣରେ ବ୍ୟାୟାମ କରିଥିଲେ। ଯାହାର ଫଟୋ ସବୁ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତେବେ ଦୁନିଆକୁ ଫିଟ୍‌ନେସ ମନ୍ତ୍ର ପ୍ରଦାନ କରୁଥିବା କୋହଲିଙ୍କ ମା’ କିନ୍ତୁ ପୁଅର ଫିଟ୍‌ନେସକୁ ନେଇ ବେଶ୍‌ ଚିନ୍ତିତ। ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ୍‌ ତାଙ୍କ ସୋ ‘ଓପନ୍‌ ନେଟ୍ସ ଓ୍ବିଥ୍‌ ମୟଙ୍କ’ରେ କୋହଲିଙ୍କ ସହ ଲାଇଭ୍‌ ଚାଟ୍‌ କରୁଥିଲେ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯାହାର ଏକ ଛୋଟିଆ ଭିଡିଓ ଶେୟାର କରିଛି। ଏହି ସମୟରେ ବିରାଟଙ୍କୁ ମୟଙ୍କ ଗୋଟିଏ ପ୍ରଶ୍ନ ପଚାରିଥିଲେ ଯେ, ମା’ଙ୍କ ସହ ଏମିତି କିଛି ବାର୍ତ୍ତାଳପ ହୋଇଛି ଯାହା ତୁମକୁ ହସାଇ ଦେଇଥାଏ। ଏହାର ଉତ୍ତରରେ କୋହଲି କହିଥିଲେ, ‘ମୋ ମା କହୁଥିଲେ ଯେ ମୁଁ ବହୁତ ଦୁର୍ବଳ ହୋଇଯାଇଛି। ଏହା ଏକ ସାଧାରଣ କଥା ଯେତେବେଳେ କୌଣସି ମା’ ଏମିତି କହିଥାନ୍ତି, ଯଦି କୌଣସି ପିଲା ମୋଟା ହୋଇ ନ ଥାଏ। ସେମାନଙ୍କ ଧାରଣା ଥାଏ କୌଣସି ସମସ୍ୟା ଅଛି ନଚେତ୍‌ ଶାରିରୀକ ଅସୁସ୍ଥ ଥିବ। ସତକଥା ମୁଁ ଅସୁସ୍ଥ ନାହିଁ ବୋଲି ପ୍ରତିଦିନ ମୋତେ ମା’ଙ୍କୁ ଭରସା ଦେବାକୁ ପଡ଼ୁଥିଲା। ଆଉ ଭଲ ଖେଳିବା ପାଇଁ ଏଭଳି କରୁଛି ବୋଲି କହୁଥିଲି।’ ଏହାକୁ ନେଇ ବେଳେବେଳେ ମା’ ବହୁତ ଚିନ୍ତିତ ହୋଇଯାଇଥାନ୍ତି। ତାଙ୍କୁ ବୁଝାଇବା ବି ମୁସ୍କିଲ ହୋଇଯାଇଥାଏ। ଦିନ ସାରା ଲାଗିପଡ଼ି ତାଙ୍କୁ ବୁଝାଇଥାଏ। କିନ୍ତୁ ପରଦିନ ସେ ପୁଣିଥରେ କହିଥାନ୍ତି ମୁଁ (ବିରାଟ) ଅସୁସ୍ଥ ଲାଗୁଛି। ଏଠାରେ ଉଲ୍ଲେଖଯୋଗ୍ୟ କୋହଲି ବହୁତ କମ୍‌ ବୟସରେ ତାଙ୍କ ବାପାଙ୍କୁ ହରାଇଥିଲେ। ସେବେଠାରୁ ମା’ ସରୋଜ କୋହଲିଙ୍କ ପାଖରେ ରହି ବଡ଼ ହୋଇଛନ୍ତି।

Share