‘ଖୁବ୍‌ଶୀଘ୍ର ଦେଖା ହେବ’

ବୋଗୋଟା, ୧୦ା୧: ଦୀର୍ଘ ଦିନ ହେଲା ଫୁସ୍‌ଫୁସ୍‌ ଜନିତ ଜଟିଳ ରୋଗରେ ପୀଡ଼ିତ ଥିବା କଲମ୍ବିଆର ୬୦ ବର୍ଷୀୟ ଭିକ୍ଟର ଏସ୍କୋବର୍‌ ଶୁକ୍ରବାର ଇଚ୍ଛାମୃତ୍ୟୁ ବରଣ କରିଛନ୍ତି। ଦେଶରେ ଇଚ୍ଛାମୃତ୍ୟୁ ଆଇନ ଲାଗୁ ହେବା ପରେ ଏପରି କରିବାରେ ସେ ଲାଟିନ୍‌ ଆମେରିକାର ପ୍ରଥମ ବ୍ୟକ୍ତି। ‘ମୃତ୍ୟୁକୁ ବାଛି ଶାନ୍ତି ଅନୁଭବ କରୁଛି। ଏଥିପାଇଁ ସେ ଭୟଭୀତ ନୁହଁନ୍ତି। ଦିନେ ସମସ୍ତଙ୍କ ପାଳି ଆସିବ। ତେଣୁ କାହାରିକୁ ବିଦାୟ କହିବି ନାହିଁ। ଖୁବଶୀଘ୍ର ସମସ୍ତଙ୍କ ସହ ଦେଖାହେବ’ ବୋଲି ମୃତ୍ୟୁ ପୂର୍ବରୁ ସେ କହିଥିଲେ। ଏଥିସହ ଜୀବନର ଶେଷ ମୁହୂର୍ତ୍ତ ସେ ତାଙ୍କ ପରିବାର ସହ ବିତାଇଥିଲେ। ଡାକ୍ତରଙ୍କ ଉପସ୍ଥିତିରେ ତାଙ୍କୁ ମୃତ୍ୟୁର ଇଞ୍ଜେକଶନ୍‌ ଦିଆଯାଇଥିବା ତାଙ୍କ ଓକିଲ ଟୁଇଟ୍‌ କରିଛନ୍ତି। ଏଥିରେ ତାଙ୍କୁ ପରିବାର ଲୋକ ମଧ୍ୟ ସମର୍ଥନ ଦେଇଥିଲେ। ୧୯୯୭ରେ କଲମ୍ବିଆ ଇଚ୍ଛାମୃତ୍ୟୁକୁ ଦଣ୍ଡବିହୀନ କରାଯାଇଥିଲା। ଗତ ଜୁଲାଇରେ ଦୁରାରୋଗ୍ୟରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସ୍ଥାନୀୟ ଅଦାଲତ ଅନୁମତି ଦେଇଥିଲେ।

Share