Categories: ଖେଳ

ସୁରକ୍ଷା ଆଳରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୋଲିସକର୍ମୀ, ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ…

କରାଚି,୨୩।୯: ପାକିସ୍ତାନ ବିପକ୍ଷରେ ୩ ଦିନିକିଆ ସହ ୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥାନ୍ତା ନ୍ୟୁଜିଲ୍ୟାଣ୍ଡ। ହେଲେ ପ୍ରଥମ ଦିନିକିଆ ଟସ୍‌ର କିଛି ମିନିଟ୍‌ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଥିଲା। ଏହି ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଅନେକ ପ୍ରସ୍ତୁତି କରିଥିଲା। ଫଳରେ ଗସ୍ତ ବାତିଲ ହେବା ପରେ ବୋର୍ଡ ଆର୍ଥିକ କ୍ଷତି ସହିଛି। ବର୍ତ୍ତମାନ ପାକିସ୍ତାନର ସୁରକ୍ଷାକର୍ମୀମାନେ ୨୭ ଲକ୍ଷର ବିରୟାନୀ ବିଲ୍‌ ଜମା କରିବା ପରେ ପିସିବିର ସମସ୍ୟା ବୃଦ୍ଧି ପାଇଛି। କିଏ ଏହି ବିଲ୍‌ ଦେବ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ପାକିସ୍ତାନରେ ୭ ଦିନ ରହିଥିଲେ। ଏହି ସମୟରେ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ନିକଟରେ ଥିବା ଏକ ହୋଟେଲରୁ ଦିନକୁ ଦୁଇଥର ବିରିୟାନୀ ଖାଇଥିଲେ। ଏହାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହୋଇଥିଲା। ହୋଟେଲ ପକ୍ଷରୁ ଏହି ବିଲ୍‌ ପାସ କରିବାକୁ ଅର୍ଥ ମନ୍ତ୍ରାଳୟ ପାଖକୁ ପଠାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏବେ ଏହି ବିଲ୍‌କୁ ପାସ କରାଯାଇ ନ ଥିବା ବେଳେ ପିସିବି କ’ଣ କରିବ ତାହା ଦେଖିବା ମଜାଦାର ହେବ। ତେବେ କ୍ଷତିପୂରଣ ଭାବେ ପିସିବି ନ୍ୟୁଜିଲାଣ୍ଡ କ୍ରିକେଟ ଠାରୁ ଏହି ରାଶି ପାଇବ ବୋଲି ଆଶା କରାଯାଉଛି।

Share