ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି ଭିନ୍ନ । ଗୋଟିଏ ପଟେ ରୋଗାକ୍ରାନ୍ତ ଶାରିରୀକ ପିଡା ଆଉ ଗୋଟିଏ ପଟେ ଅସହ୍ୟ ତାତି । ଏପରି ଛଟପଟ ହୋଇ ଚିକିତ୍ସାଳୟକୁ ଗଲେ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ହେଉକି ସୁରକ୍ଷା କର୍ମୀ ଏମାନଙ୍କ ସେବା କରିବା ପରିବର୍ତ୍ତେ ଓଲଟି ନାଲିଆଖି ଦେଖାଉଛନ୍ତି । ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଚିକିତ୍ସା ନିମନ୍ତେ ଯାଇଥିବା ଲୋକଙ୍କ ସହ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି ।

ଏପରିକି ଏଠାରେ କାର୍ଯ୍ୟରତ ମହିଳା ସୁରକ୍ଷା କର୍ମୀ ମଧ୍ୟ କଥାବାର୍ତ୍ତା ଜାଣିନାହାନ୍ତି । ଲୋକେ ସାହାଯ୍ୟ ମାଗିଲେ ନାଲି ଆଖି ଦେଖାଉଛନ୍ତି । ଏଠାକୁ ଯାଇଥିବା ଜଣେ ରୋଗୀ ଏବଂ ତାଙ୍କ ପରିଜନ ଏଭଳି ଅଭିଯୋଗ ଆଣିଛନ୍ତି । ସେମାନେ କହିବା ମୁତାବକ ମୁଖ୍ୟ ଚିକିତ୍ସାଳୟର ପଙ୍ଖା ଗୁଡିକ ବୁଲୁନାହିଁ । ଯେଉଁ ପଙ୍ଖା ଗୁଡିକ ବୁଲୁଛି ତାକୁ ନିଜ ଅଧୀନରେ ରଖିଛନ୍ତି ସୁରକ୍ଷା କର୍ମୀ । ଆଉ ଏହି ପଙ୍ଖା ତଳେ ବସୁଛନ୍ତି ଏହି କର୍ମୀମାନେ । ସୁରକ୍ଷା କର୍ମୀଙ୍କ ନିକଟରେ ପଙ୍ଖା ବୁଲୁଥିବାରୁ ରୋଗୀ ତଥା ତାଙ୍କ ଆସିଥିବା ସହଯୋଗୀ ଏହି ପଙ୍ଖା ତଳେ ବସୁଛନ୍ତି । ଗହଳି ହେବା ମାତ୍ରେ ସୁରକ୍ଷା କର୍ମଚାରୀମାନେ ପଙ୍ଖାକୁ ବନ୍ଦ କରିଦେଉଛନ୍ତି । ତେବେ ସେହି ସ୍ଥାନରେ ପଙ୍ଖା ଲଗେଇଲେ ଅଜବ ଯୁକ୍ତିତର୍କ କରିବା ସହ ତୁମେ କିଏ ପଙ୍ଖା ଲଗେଇଲ ବୋଲି ପଚାରି ବନ୍ଦ କରୁଛନ୍ତି । ଏଭଳି ବ୍ୟବହାରକୁ ନେଇ ରୋଗୀ ତଥା ସେମାନଙ୍କ ସାଥିରେ ଆସିଥିବା ସହଯୋଗୀ ମାନେ ତୁରନ୍ତ ଅଭିଯୋଗ କରିବା ପାଇଁ କାନ୍ଥରେ ମେଡିକାଲ ପରିଚାଳନା ପାଇଁ ମରାଯାଇଥିବା ବିଭିନ୍ନ ପଦପଦବୀରେ ଥିବା ଅଧିକାରୀ ତଥା ପରିଚାଳକଙ୍କ ନମ୍ବରକୁ କଲ୍ କଲେ ସେଥି ମଧ୍ୟରେ ଅନେକ ବଦଳି ହୋଇଛନ୍ତି କିମ୍ବା ଅବସର ନେଇଯାଇଛନ୍ତି ।

ତେବେ କାନ୍ଥରେ ମରାଯାଇଥିବା ଫୋନ୍ ତାଲିକାରେ ଏକ ରୋଚକ କଥା ସାମନାକୁ ମଧ୍ୟ ଆସିଛି । ମେଡିକାଲ ପରିଚାଳକଙ୍କ ଦୁଇଟି ମୋବାଇଲ ନମ୍ବର ଉଲ୍ଲେଖ ରହିଛି । ହେଲେ ଏହି ମୋବାଇଲ ନମ୍ବର ଗୁଡିକ ୧୦ ସଂଖ୍ୟା ପରିବର୍ତ୍ତେ ୧୧ ସଂଖ୍ୟା ରହିଛି । ଯାହାକି ଫୋନ୍ କଲେ ଜମାରୁ ଯାଉନାହିଁ । ତେବେ ଏପରି ଜାଣି ଶୁଣି ଲେଖାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । କାରଣ ଗୋଟିଏ ନମ୍ବର ମୁଦ୍ରଣ ତ୍ରୁଟି ହୋଇଥାଇପାରେ । କିନ୍ତୁ ଦୁଇ ଦୁଇଟି ମୋବାଇଲ ନମ୍ବର ୧୧ ସଂଖ୍ୟା ବିଶିଷ୍ଠ ଲେଖାଯାଇଥିବାରୁ ତାହା ମେଡିକାଲ କର୍ତ୍ତୃପକ୍ଷ ବା ପରିଚାଳକ ଜଣକ ଜାଣିଶୁଣି ଏପରି କରିଥିବାର ଅନୁମାନ କରୁଛନ୍ତି ଲୋକେ । ଅନ୍ୟପକ୍ଷେ ଏପରି ତ୍ରୁଟି ପୂର୍ଣ୍ଣ ଫଳକ ବା ମୋବାଇଲ ଫୋନ୍ ତାଲିକାକୁ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ମେଡିକାଲ ପରିଦର୍ଶନ ବେଳେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାହାକୁ ସୁଧାରିନଥିବାର ଜଣାପଡିଛି । ଏ ନେଇ ମେଡିକାଲ ପରିଚାଳକ ସୁପ୍ରିୟା ସାହୁ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସାନ୍ତୁନୁ ପାଢ଼ୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଉ ନାହାନ୍ତି ତେଣୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

Dharitri – Odisha’s No.1 Odia Daily

Share