ସ୍ବାଧୀନତା ଦିବସ ପାଇଁ ରାଜଧାନୀରେ ସୁରକ୍ଷା କଡାକଡି

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଓ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଏଥିପାଇଁ କାର୍ଯ୍ୟକ୍ରମସ୍ଥଳ ଓ ଆଖପାଖରେ ସୁରକ୍ଷା କଟକଣା ଲଗାଯାଇଛି। ଗୁରୁବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଶୁକ୍ରବାର ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ପୋଲିସ ଅଧିକାରୀ ପ୍ରଦଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହାସହ ସନ୍ଧାନୀ କୁକୁର ଦ୍ୱାରା ମଧ୍ୟ ଉକ୍ତ ସ୍ଥାନରେ ଟିକିନିଖି ଯାଞ୍ଚ କରାଯାଇଥିଲା।
ଏନେଇ ଭୁବନେଶ୍ବର ଡିସିପି ଦାଶ କହିଛନ୍ତି, ପ୍ରଦଶନୀ ପଡ଼ିଆ ସୁରକ୍ଷା ଦାୟିତ୍ୱରେ ୪ ଅତିରିକ୍ତ ଡିସିପି, ୧୦ ଏସିପି, ୧୨ ଇନ୍ସପେକ୍ଟର, ୨୦ ସବ୍‌ଇନ୍ସପେକ୍ଟର ଓ ଫୋର୍ସ ମୁତୟନ ହେବେ। ସେମାନେ ପଡିଆର ସୁରକ୍ଷା ବ୍ୟବସ୍ଥା କଡାକଡି ଯାଞ୍ଚ କରିବେ। ପ୍ରଥମ କରି ସର୍ଭିଲାନ୍ସ ବ୍ୟବସ୍ଥା ହୋଇଥିବାବେଳେ ଭିଆଇପି ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।