Categories: ଫୁରସତ

ସୁରକ୍ଷା ଆମର ଦାୟିତ୍ୱ

ପରିବେଶ ସଂରକ୍ଷଣ ଦୃଷ୍ଟିକୋଣରୁ ‘ବିଶ୍ୱ ଧରିତ୍ରୀ ଦିବସ’ର ମହତ୍ତ୍ୱ ବେଶ୍‌ ଅଧିକ। ଗତ କିଛି ବର୍ଷ ଧରି ଏହି ଦିବସ ପାଳନ କରିବା ଲାଗି ଅଧିକାଂଶ ଦେଶରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ଏହାର କାରଣ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ। ପୃଥିବୀର ତାପମାତ୍ରା ଅସ୍ବାଭାବିକ ଭାବ ବଢ଼ିଚାଲିଛି। ଏହାର କୁପ୍ରଭାବ ଗିରିଶୃଙ୍ଗଠାରୁ ଆରମ୍ଭ କରି ସମୁଦ୍ର ଏବଂ ଜଳବାୟୁ ଉପରେ ପଡୁଥିବା ସ୍ପଷ୍ଟ ଅନୁଭୂତ ହେଉଛି, ଯାହା ସବୁଜ ଗ୍ରହରେ ମଣିଷ ପାଇଁ ସତର୍କ ଘଣ୍ଟି ବଜାଇଛି। ପାଖାପାଖି ଦେଢ଼ବର୍ଷ ହେଲା ଅଦୃଶ୍ୟ ଭୂତାଣୁ ପ୍ରକୋପ ଭୟ ସୃଷ୍ଟି କରି ଚାଲିଥିବାବେଳେ ମଣିଷ ପୁଣି ଥରେ ପ୍ରକୃତିମୁହଁା ହୋଇଛି। ତେଣୁ ମହାମାରୀ ଭିତରେ ଓ୍ବାଲର୍‌ଡ ଆର୍ଥ ଡେ’ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ଚଳିତବର୍ଷର ଥିମ୍‌ ‘ରିଷ୍ଟୋର ଆଓ୍ବାର ଆର୍ଥ’
ଚଳିତବର୍ଷ ‘ଓ୍ବାଲର୍‌ଡ ଆର୍ଥ ଡେ’ର ଥିମ୍‌ ରହିଛି ‘ରିଷ୍ଟୋର ଆଓ୍ବାର ଆର୍ଥ’, ଯାହାର ଅର୍ଥ ‘ଆମ ପୃଥିବୀର ପୁନରୁଦ୍ଧାର’। ୨୦୧୯ ଶେଷ ଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମହାମାରୀ ପ୍ରକୋପରୁ ମଣିଷ ମୁକୁଳିପାରିନି। କରୋନା ସହିତ ଲଢ଼ିବା, ସମାନ୍ତରାଳ ଭାବେ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପୃଥିବୀର ସ୍ଥିତାବସ୍ଥା ଫେରାଇ ଆଣିବା ଲକ୍ଷ୍ୟ ନେଇ ଚଳିତବର୍ଷ ପାଳିତ ହେଉଛି ‘ଓ୍ବାଲର୍‌ଡ ଆର୍ଥ ଡେ’। ସେହିପରି ଜଳବାୟୁ ପରିବର୍ତ୍ତନ ଲାଗି ଦାୟୀ କାରକଗୁଡ଼ିକୁ ଯଥାସାଧ୍ୟ ନିୟନ୍ତ୍ରଣ କରିବା ଏବଂ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଭଳି ଗତିବିଧିକୁ କମ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ବାଦ୍‌ଦେଲେ ଜଳବାୟୁ ଏବଂ ପରିବେଶ ସାକ୍ଷରତା, ବନୀକରଣ କାର୍ଯ୍ୟ ତ୍ୱରାନ୍ବିତ, ନାଗରିକ ବିଜ୍ଞାନ, ସ୍ବଚ୍ଛତାରକ୍ଷା, ପୁନଃଉତ୍ପାଦନ କୃଷି, ପରିବେଶ ସୁରକ୍ଷା ଉପରେ ଜୋର୍‌ ଦିଆଯାଉଛି। ପ୍ରାକୃତିକ ପରିବେଶରେ ହସ୍ତକ୍ଷେପଠାରୁ ଦୂରରେ ରହିବାକୁ ଅପିଲ ମଧ୍ୟ କରାଯାଉଛି।

Share