Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗୁରୁବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ସିଆର୍‌ପିଏଫ୍‌ର ଜଣେ ଅଫିସରଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ଶ୍ରୀନଗରର ବଟାମାଲୁ ଅଞ୍ଚଳର ଫିରଦୌସବାଦ୍‌ରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଆତଙ୍କବାଦୀଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଅଧିକ ଆତଙ୍କବାଦୀ ଲୁଚିଥିବା କୁହାଯାଉଛି। ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

Share