ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ ଚକାପାଦ/ତୁମୁଡିବନ୍ଧ,୩୦ା୮: କନ୍ଧମାଳ ଜିଲାର ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯାଉଛି।
କୋଭିଡ୍‌ କଟକଣା ମଧ୍ୟରେ ଏହା ପାଳନ କରାଯାଉଛି। ଏଥିପାଇଁ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଉଠିଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ଚାଲିଛି। ଆଶ୍ରମରେ ପୂଜା କାର୍ଯ୍ୟ ସମ୍ପାଦନ ପାଇଁ ମାତ୍ର ୧୦ ଜଣଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। କରୋନା କଟକଣା ମଧ୍ୟରେ ସବୁ କାର୍ଯ୍ୟ ହେବ ବୋଲି ଚକାପାଦ ଆଶ୍ରମ ଦାୟିତ୍ୱରେ ଥିବା କୃଷ୍ଣାନନ୍ଦ ଏବଂ ସଚ୍ଚିଦାନନ୍ଦ ସରସ୍ବତୀ କହିଛନ୍ତି। ଆଶ୍ରମରେ ନାମଯଜ୍ଞ, ଗୋପୂଜା, ସୂର୍ଯ୍ୟପୂଜା ଓ ହୋମଯଜ୍ଞ କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ଦାୟିତ୍ୱରେ ଥିବା ସ୍ବାମୀ ଜୀବନମୁକ୍ତାନନ୍ଦଜୀ ମଧ୍ୟ ସମାନ କଥା କହିଛନ୍ତି। ଏସ୍‌ପି ଭୀନିତ ଅଗ୍ରୱାଲ ଏସବୁ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଫୁଲବାଣୀ ସହର ଓ ଦାରିଙ୍ଗବାଡିରେ ୨ ପ୍ଲାଟୁନ ଲେଖାଏ ଫୋର୍ସ ମୁତୟନ ହୋଇଥିବା ବେଳେ ଚକାପାଦରେ ଦେଢ଼ ପ୍ଲାଟୁନ, ସଦର, ଖଜୁରିପଡା, ବାଲିଗୁଡା, ବାରଖମା, ତୁମୁଡିବନ୍ଧ, ଟିକାବାଲି, ଜି.ଉଦୟଗିରି, ରାଇକିଆ, ସାରଙ୍ଗଗଡ, ବ୍ରାହ୍ମଣୀଗାଁ ଏବଂ ଫିରିଙ୍ଗିଆରେ ୧ ପ୍ଲାଟୁନ ଲେଖାଏ ଫୋର୍ସ ଓ ଅଫିସରମାନେ ନିୟୋଜିତ ହୋଇଛନ୍ତି।