Categories: ଜାତୀୟ

ଉଡୁପିରେ ସ୍କୁଲ, କଲେଜ ପାଖରେ ୧୪୪ ଧାରା

ବାଙ୍ଗାଲୋର ,୧୩।୨: ହିଜାବ-ସାଫ୍ରନକୁ ନେଇ ଚାଲିଥିବା ବିବାଦ ଯୋଗୁ ୪ ଦିନ ବନ୍ଦ ରହିବା ପରେ ସୋମବାରଠାରୁ କର୍ନାଟକରେ ଖୋଲିବାକୁ ଯାଉଛି ହାଇ ସ୍କୁଲ। ଏହାକୁ ଦୃଷ୍ଟିରେ ରଖି ଉଡୁପି ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ପାଖରେ ଆସନ୍ତା ୬ ଦିନ ପାଇଁ ତଥା ଶନିବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ପୋଲିସ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଏହି ଦକ୍ଷିଣ ଜିଲାରୁ ହିଁ ଆରମ୍ଭ ହୋଇଥିଲା ହିଜାବ ବିବାଦ।

ସୋମବାର ଠାରୁ ହାଇକୋର୍ଟରେ ହିଜାବ ଉପରେ ଲାଗିଥିବା କଟକଣା ଉପରେ ଶୁଣାଣି ହେବାକୁ ଯାଉଥିବାରୁ ଆସନ୍ତା ସପ୍ତାହ କର୍ନାଟକ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଗତ ଶୁକ୍ରବାର ହାଇକୋର୍ଟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଆନ୍ତରିଣ ନିର୍ଦ୍ଦେଶ ଦେଇଥିଲେ। ଆଉ ହିଜାବ ପ୍ରସଙ୍ଗର ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ପରିସରରେ କୌଣସି ପ୍ରକାର ଧାର୍ମିକ ପୋଷାକ ନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ କର୍ନାଟକ ହାଇକୋର୍ଟ।

ସ୍କୁଲ ଖୋଲିବା ପରେ ରାଜ୍ୟରେ ଶାନ୍ତି ବଜାୟ ରହିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ। “ପରିସ୍ଥିତିକୁ ଦେଖି ପ୍ରି-ୟୁନିଭରସିଟି ଓ ଡିଗ୍ରୀ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଅଶାନ୍ତି ଖେଳାଉଥିବା ଲୋକଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କୁ ମାର୍ଚ୍ଚରେ ହେବାକୁ ଥିବା ପରୀକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ” ବୋଲି ସେ କହିଛନ୍ତି।

Share