Posted inଫୁରସତ

ଗୁପ୍ତଧନ

ଗୁପ୍ତଧନ! ଯାହାକୁ ପାଇବାର ଲାଳସା କାହିଁ କେଉଁ କାଳରୁ ମଣିଷର ରହିଆସିଛି। ଆଉ ରାତାରାତି ଅପାର ଧନସମ୍ପତ୍ତିର ପାହାଡ ଉପରେ ବସିବାର ମୋହରେ ସେ ତାକୁ ଖୋଜି ଚାଲିଛି। ହେଲେ ଗୁପ୍ତଧନ ହେଉଛି ରହସ୍ୟର ଆଉ ଏକ ନାଁ। ଯାହାକୁ ଭେଦି ତା’ ପାଖରେ ପହଞ୍ଚତ୍ବା ଆଦୌ ସହଜ ନୁହେଁ। ତଥାପି ପୃଥିବୀରେ ଯେଉଁଠି ଯେଉଁଠି ଗୁପ୍ତଧନର କଥା ଉଠିଛି ମଣିଷ ତାକୁ ଖୋଜିଛି। ଦିନେ ଭାରତକୁ ‘ସୁନାର ଚଢେଇ’ ବୋଲି କୁହାଯାଉଥିଲା। ତେଣୁ ଏହାର ଗର୍ଭରେ ବି ଗୁପ୍ତଧନ ଲୁଚି ରହିଥିବା ବିଭିନ୍ନ ତଥ୍ୟରୁ ଜଣାପଡେ। ଆଉ ତାକୁ ପାଇବାର ଲାଳସାରେ ମଧ୍ୟ କରିଛନ୍ତି କିଏ କେତେ ପ୍ରୟାସ। ହେଲେ ନା ତା’ର ରହସ୍ୟକୁ କେହି ଭେଦି ପାରିଛନ୍ତି ନା ତାକୁ କେହି ପାଇ ପାରିଛନ୍ତି। ତାହା ରହିଯାଇଛି କେବଳ ରହସ୍ୟ ହୋଇ…

ପଦ୍ମନାଭସ୍ବାମୀ ମନ୍ଦିରର ଗୁପ୍ତଧନ- କେରଳର ଥିରୁଭାନନ୍ତପୁରମ୍‌ ରେ ଅଛି ବହୁପୁରାତନ ପଦ୍ମନାଭସ୍ବାମୀ ମନ୍ଦିର। ବିଶ୍ୱାସ କରାଯାଏ ମନ୍ଦିରଟିକୁ ୫୦୦୦ ବର୍ଷ ପୂର୍ବେ ସ୍ଥାପନ କରାଯାଇଥିଲା। ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ମନ୍ଦିରର ପୁନଃ ନିର୍ମାଣ ଷଷ୍ଠ ଶତାବ୍ଦୀରେ ତ୍ରାବନକୋରର ମହାରାଜ କରିଥିଲେ। ବିଶ୍ୱାସ କରାଯାଏ ସେ ବିଭିନ୍ନ ରାଜ୍ୟ ଜୟ କରି ପାଇଥିବା ଧନସମ୍ପତ୍ତି ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରିଦେଇ ଏହି ମନ୍ଦିରରେ ରଖିଥିଲେ। ମନ୍ଦିରରେ ଏସବୁକୁ ୭ଟି କୋଠରିରେ ରଖାଯାଇଥିଲା। ତନ୍ମଧ୍ୟରୁ ୬ଟିକୁ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଖୋଲା ସରିଲାଣି ଓ ବହୁ ଧନରତ୍ନ ବାହାର କରାଯାଇଛି। ତହିଁରେ ରହିଛି ଭଗବାନ ବିଷ୍ଣୁଙ୍କର ୪ଫୁଟ ଉଚ୍ଚତାର ହୀରା ଖଚ୍ଚିତ ସୁନାର ମୂର୍ତ୍ତି, ହୀରା ଏବଂ ବିଭିନ୍ନ ରତ୍ନ ଖଚ୍ଚିତ ସୁନାର ମକୁଟ, ୧୮ ଫୁଟ୍‌ ଲମ୍ବର ସୁନା ଚେନ୍‌, ବସ୍ତା ବସ୍ତା ହୀରା, ରୁବି, ସାଫାୟର, ରତ୍ନପଥର ଖଚ୍ଚିତ ହାର, ମାଳ ଭଳି ଅନେକ କିଛି। ତେବେ ଆଜି ପର୍ଯ୍ୟନ୍ତ ସପ୍ତମ କୋଠରି ଖୋଲା ଯାଇପାରି ନାହିଁ। ବିଶ୍ୱାସ କରାଯାଏ ୬ଟି କୋଠରିରୁ ମିଳିଥିବା ଧନସମ୍ପତ୍ତିଠାରୁ ବହୁଗୁଣରେ ଅଧିକ ଧନ ସପ୍ତମ କୋଠରିରେ ଅଛି। ୨ ଲକ୍ଷ କୋଟିରୁ ଅଧିକ ଧନ ତନ୍ମମଧ୍ୟରେ ରହିଛି। କିନ୍ତୁ ସେହି କୋଠରିକୁ ଖୋଲିବାର ସାହସ ଏ ପର୍ଯ୍ୟନ୍ତ କେହି କରିପାରି ନାହାନ୍ତି। ଏହାମଧ୍ୟରେ ଅନେକ ରହସ୍ୟ ଲୁଚି ରହିଥିବା ବିଶ୍ୱାସ କରାଯାଏ। ଥରେ ଏହାକୁ ଖୋଲିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କିଛି ବିଷଧର ସାପ ବାହାରି ସେହି ଲୋକଙ୍କୁ ଦଂଶି ମାରିଦେଇଥିଲା। କୋଠରି ମଧ୍ୟରୁ ପାଣି ଓ ସାପର ସଁ ସଁ ଶବ୍ଦ ଶୁଭେ। ବିଶ୍ୱାସ କରାଯାଏ ଏହାକୁ କେବଳ ଜଣେ ସିଦ୍ଧ ପୁରୁଷ ହିଁ ଖୋଲିପାରିବେ। ଏହି କୋଠରିର ଦ୍ୱାରରେ ନାଗସାପର ଆକୃତି ରହିଛି। ତେଣୁ କୁହାଯାଏ ଏହାକୁ ‘ନାଗ ବନ୍ଧମ’ ବା ‘ନାଗ ପାଶମ୍‌’ ମନ୍ତ୍ରରେ ଅଭିମନ୍ତ୍ରିତ କରି ବନ୍ଦ କରି ଦିଆଯାଇଛି। ଏହାକୁ ଗରୁଡ ମନ୍ତ୍ର ଦ୍ୱାରା ଖୋଲିହେବ। ଆଧୁନିକ ପ୍ରଣାଳୀରେ ଖୋଲିଲେ ମନ୍ଦିର ନଷ୍ଟ ଅବା ଅନ୍ୟ କୌଣସି ଅନିଷ୍ଟ ହେବାର ଆଶଙ୍କା ରହିଛି ବୋଲି ଲୋକ ବିଶ୍ୱାସ ରହିଛି।

ଜୟଗଡ ଦୁର୍ଗ : ରାଜସ୍ଥାନରେ କିଛି ଗୁପ୍ତଧନ ଥିବା କଥା ଅନେକ ସମୟରେ ଶୁଣିବାକୁ ମିଳେ। ତେବେ ତନ୍ମଧ୍ୟରୁ ରାଜା ମାନ ସିଂ ୧ମଙ୍କ ଗୁପ୍ତଧନ ଅନ୍ୟତମ। ସେ ଆକବରଙ୍କ ସେନାପତି ଥିଲେ। ନିଜର ବୁଦ୍ଧିମତ୍ତା ଓ ସୈନ୍ୟକୁଶଳତା ପାଇଁ ସେ ଆକବରଙ୍କର ପ୍ରିୟ ଥିଲେ। ତାଙ୍କୁ ‘ରାଜା ମିର୍ଜା’ ବି କୁହାଯାଉଥିଲା। କୁହାଯାଏ ସେ ଯେବେ ଆଫଗାନିସ୍ତାନ ଉପରେ ବିଜୟଲାଭ କରିଥିଲେ। ସେଠାରୁ ମହମ୍ମଦ ଘଜନୀଙ୍କ ଅପାର ଧନସମ୍ପତ୍ତି ନେଇ ଭାରତ ଚାଲି ଆସିଥିଲେ। କିନ୍ତୁ ଏ ସମ୍ପର୍କରେ ଆକବରଙ୍କୁ ଜଣାଇ ନ ଥିଲେ। ଆଉ ସମସ୍ତ ଧନକୁ ଜୟପୁରର ମହାରାଜା ସୱାଇ ଜୟସିଂ ୨ୟ ନିର୍ମାଣ କରିଥିବା ବିକାନେରସ୍ଥ ଜୟଗଡ ଦୁର୍ଗ ମଧ୍ୟରେ ପୋତି ଦେଇଥିଲେ। ଅନ୍ୟ କିଛି ତଥ୍ୟ କହେ ଯେହେତୁ ତାଙ୍କ ଯୁଦ୍ଧକୌଶଳ ପାଇଁ ଆକବର ଅନେକ ଐତିହାସିକ ଯୁଦ୍ଧରେ ଜୟ ଲାଭ କରୁଥିଲେ, ତେଣୁ ତାଙ୍କର ସମାନ ଅଧିକାର ଜୟ କରି ଆଣିଥିବା ଧନ ଉପରେ ଥିଲା। ଏମିତିରେ ତାଙ୍କ ପାଖରେ ଅମାପ ଧନଦୌଲତ ହୋଇଯାଇଥିଲା। ବିଶ୍ୱାସ କରାଯାଏ ଦୁର୍ଗରେ ଥିବା ମହଲ ତଳେ ସେ ଗୁପ୍ତ କୋଠରି କରି ନିଜର ଧନସମ୍ପତ୍ତି ରଖିଥିଲେ। ତେବେ ୧୯୭୬ ମସିହାର ଏମରଜେନ୍ସି ସମୟରେ ଇନ୍ଦିରା ଗାନ୍ଧୀ ଏହି ଗୁପ୍ତଧନ ପାଇବା ପାଇଁ ଅନେକ ପ୍ରୟାସ କରିଥିଲେ। ଜୟପୁର ରାଜପରିବାରର ପ୍ରତିନିଧି ମହାରାଣୀ ଗାୟତ୍ରୀ ଦେବୀଙ୍କୁ ଜେଲ ପଠାଇ ମାସ ମାସ ଧରି ଦୁର୍ଗ ଭିତର ଖୋଦେଇ କରିଥିଲେ। ଅନେକେ କହନ୍ତି ଏହି ପ୍ରୟାସ ବିଫଳ ହୋଇଥିଲା ତ ଆଉ କେହି କହନ୍ତି ୬ ମାସ ଖୋଦେଇ ପରେ ଟ୍ରକ୍‌ର ରୋଶଣି ତା’ମଧ୍ୟରୁ ବାହାରିଥିଲା। ଦିଲ୍ଲୀ-ଜୟପୁର ରୋଡକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇ ଟ୍ରକରେ ଗୁପ୍ତଧନ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା। ସ୍ଥାନୀୟ ଜଣେ ପତ୍ରକାର ଆର୍‌ଟିଆଇ ମାଧ୍ୟମରେ ସତ୍ୟତା ଜାଣିବାକୁ ଚାହିଁଥିଲେ । ହେଲେ ସରକାର ଆରଟିଆଇର କୌଣସି ସଠିକ୍‌ ଓ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ତେବେ ସତ କେଉଁଟି ଆଜିଯାଏଁ ଜଣାପଡିନି। ଏହି ଗୁପ୍ତଧନ ସମ୍ପର୍କରେ ଆଉ ଏକ କାହାଣୀ ରାଜସ୍ଥାନରେ ପ୍ରଚଳିତ ରହିଛି। ବିଶ୍ୱାସ କରାଯାଏ ମାନସିଂ ଗୁପ୍ତଧନ ସମ୍ପର୍କରେ ଯୋଦ୍ଧାବାଈଙ୍କୁ ଜଣେଇ ଦେଇଥିଲେ। ଆଉ ଯୋଦ୍ଧା ବାଈ ଏହି ଗୁପ୍ତଧନକୁ ଫତେପୁର ସିକ୍ରିସ୍ଥ ଏକ ମନ୍ଦିରରେ ରଖିଦେଇଥିଲେ। ସମୟ କ୍ରମେ ମନ୍ଦିରଟି ପୋତି ହୋଇଗଲା ଆଉ ତା’ସହ ଗୁପ୍ତଧନର ରହସ୍ୟ ବି। ସ୍ଥାନୀୟ ଲୋକେ ଏବେବି ବିଶ୍ୱାସ କରନ୍ତି ଯେ, ଗୁପ୍ତଧନ ସେହି ମନ୍ଦିରରେ ଅଛି।

ସୋନଗୁମ୍ଫାର ଗୁପ୍ତଧନ- ବିହାର, ରାଜଗିରିରେ ବି ସେହିଭଳି ଗୁପ୍ତଧନ ଥିବା କୁହାଯାଏ। ଏଠାକାର ପାହାଡ ମଧ୍ୟରେ ସୋନଗୁମ୍ଫାର ମହତ୍ତ୍ୱ ବେଶି। ବିଶ୍ୱାସ କରାଯାଏ ଏହି ପାହାଡରେ ଲୁଚି ରହିଛି ଅନେକ ସୁନା। ଏହି ସ୍ଥାନଟି ମହାଭାରତ ସମୟର ବୋଲି କୁହାଯାଏ। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଭୀମ ଜରାସନ୍ଧର ବଧ କରିଥିଲେ। ପ୍ରଥମେ ଏହି ସ୍ଥାନକୁ ରାଜଗୃହ କୁହାଯାଉଥିଲା। କାଳକ୍ରମେ ଏହା ମଗଧ ରାଜ୍ୟ ଅନ୍ତର୍ଭୃକ୍ତ ହୋଇଥିଲା। ବୌଦ୍ଧ ଓ ଜୈନ ଧର୍ମକୁ ମାନୁଥିବା ଲୋକେ ବି ଏହି ଗୁମ୍ପାକୁ ପବିତ୍ର ମାନନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ କହେ ଏହି ଗୁମ୍ଫା ୩ୟ-୪ର୍ଥ ଶତାବ୍ଦୀର ଅଟେ। ସେଠାରେ ଥିବା ସରକାରୀ ଶିଳାଲେଖ ଅନୁସାରେ ଏଠାରେ ରଥର ଚକ ଚିହ୍ନ ମିଳିଥିଲା ଓ ଶଙ୍ଖ ଭାଷାରେ ଲିଖିତ କିଛି ଅଂଶ ବି ମିଳିଛି। ବିମ୍ବିସାର ଅଜାତ ଶତ୍ରୁଙ୍କୁ ଏହିଠାରେ ବନ୍ଦୀ କରି ରଖିଥିଲେ ବୋଲି ବିଶ୍ୱାସ କରାଯାଏ। ଏଠାରୁ ଲୁହାର ହାତକଡି ବି ଉଦ୍ଧାର ହୋଇଥିଲା। ତେବେ ସବୁଠୁ ବଡ଼ କଥା ହେଉଛି ଏଠାରେ ଗୁପ୍ତଧନ ଥିବା କଥା ବି ବିଶ୍ୱାସ କରାଯାଏ। ହେଲେ ଏହାକୁ କିଏ ଓ କେବେଠାରୁ ରଖିଛନ୍ତି କେହି ଜାଣି ନାହାନ୍ତି। କେହି କେହି ଗୁପ୍ତଧନକୁ ମହାଭାରତ ସମୟର କହୁଥିବାବେଳେ ଆଉ କେହି ବିଶ୍ୱାସ କରନ୍ତି ଏହା ବିମ୍ବିସାର ଓ ଅଜାତ ଶତ୍ରୁଙ୍କର ବୋଲି। ଏମିତି ବି କୁହାଯାଏ ଯେ, ଯେମିତି ଗୁପ୍ତଧନ ଅଜାତ ଶତ୍ରୁଙ୍କୁ ନ ମିଳୁ ସେଥିପାଇଁ ତାଙ୍କ ପିତା ବିମ୍ବିସାର ଏହାକୁ ଗୁମ୍ପାର ଭୁଲଭୁଲେୟାରେ ପୋତିଦେଇଥିଲେ। ଇଂରେଜମାନେ ବି ଗୁପ୍ତଧନ ପାଇଁ ଗୁମ୍ଫାକୁ ତୋପରେ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ପାରି ନ ଥିଲେ। ତୋପ ଗୋଳାର ଚିହ୍ନ ଏବେବି ଏଠାରେ ଦେଖିବାକୁ ମିଳେ। ବିଶ୍ୱାସ କରାଯାଏ ଶଙ୍ଖ ଭାଷାରେ ଲେଖାଯାଇଥିବା କଥାରେ ହିଁ ଗୁପ୍ତଧନର ରହସ୍ୟ ଲୁଚି ରହିଛି। ହେଲେ ଏହି ଭାଷା ପଢିବା ପାଇଁ କେହି ସକ୍ଷମ ନୁହନ୍ତି। ଗୁମ୍ଫାଗୁଡିକ ପଲିଶ୍‌ ହୋଇଛି ଏବଂ ଏଠାରେ ମଧ୍ୟ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ମିଳିଥିଲା। ଯାହାକୁ ପରେ ନାଳନ୍ଦା ସଂଗ୍ରହାଳୟରେ ରଖାଯାଇଛି।

ଚାର୍‌ମିନାର ସୁଡଙ୍ଗରେ ଗୁପ୍ତଧନ- ବିଶ୍ୱାସ କରାଯାଏ ଯେ, ଏକଦା ଐତିହାସିକ ଗୋଲକୁଣ୍ଡା ଦୁର୍ଗ ଓ ଚାରମିନାର ମଝିରେ ୧୫ ଫୁଟ୍‌ ଚଉଡା ଓ ୩୦ ଫୁଟ୍‌ ଉଚ୍ଚତାର ଏକ ସୁଡଙ୍ଗ ଭୂମି ତଳେ ଥିଲା। ଯାହାକୁ ସୁଲତାନ ମହମ୍ମଦ କୁଲି କୁତବ ଶାହ ତିଆରି କରାଇଥିଲେ। ସୁଲତାନ ସୁଡଙ୍ଗଟି ବିପଦ ସମୟରେ ସୁରକ୍ଷା ପାଇଁ ତିଆରି କରିଥିଲେ। ହେଲେ ପରେ ଏଥିରେ ଗୁପ୍ତ କୋଠରି କରି ଧନସମ୍ପତ୍ତି ଲୁଚାଇ ରଖିଥିଲେ। ଅନେକ ବର୍ଷ ପର୍ଯ୍ୟନ୍ତ ଟଙ୍କା, ସୁନା, ରୁପା, ବହୁମୂଲ୍ୟ ରତ୍ନ ଆଦି ଏଠାରେ ଜମା କରାଯାଇଥିଲା। ପରେ ସେସବୁକୁ ଏଠାରେ ପୋତି ଦିଆଯାଇଥିବା କୁହାଯାଏ।୧୯୩୬ରେ ନିଜାମ ମୀର ଓସ୍ମାନ ଅଲ୍ଲୀ ଏକ ସର୍ଭେ କରାଇବା ସହ ନକ୍ସା ବି ତିଆରି କରିଥିଲେ। ଯଦିଓ ସେତେବେଳେ ଖୋଦେଇ ହୋଇପାରି ନ ଥିଲା। ତେଣୁ ଏହି ଗୁପ୍ତଧନର ରହସ୍ୟ ଏବେବି ରହସ୍ୟରେ ଅଛି।
-ଶିବାନୀ ମହାନ୍ତିି


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri