ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ: ଆଖି ବୁଜିଲେ ଆଉ ଜଣେ ଗୁରୁତର

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣରେ ଆଉ ଜଣେ ପୀଡିତ ଆଖି ବୁଝିଛନ୍ତି। ଏଥି ସହିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ । ଗତ ଦୁଇ ବର୍ଷ ହେବ ଶ୍ରୀତମ ହାଇଟେକ୍‌ ମେଡିକାଲ କଲେଜରେ ଚାକିରି କରୁଥିଲେ।

ପରିବାରର ଏକମାତ୍ର ରୋଜଗାରିଅ ପୁଅକୁ ହରି ସମଗ୍ର ପରିବାର ବେସାହାରା ହୋଇ ପଡ଼ିଛି। ଶ୍ରୀତମଙ୍କ ମୃତ୍ୟୁ ଖବର ପରିବାରବର୍ଗଙ୍କୁ ଗତକାଲି ରାତିରେ ଦିଆଯାଇଥିଲା। ଏହାପରେ ପରିବାର ଲୋକେ ହାଇଟେକ୍‌ ମେଡିକାଲ କଲେଜରେ ପହଞ୍ଚିଥିଲେ। ତେବେ ଶ୍ରୀତମଙ୍କ ପରିବାର ବୁଧବାର ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଶ୍ରୀତମଙ୍କ ବାପା ଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ହୋଇଥିବା ବିସ୍ଫୋରଣରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମାତ୍ର ମେଡିକାଲ ଉପରେ ଚାପ ପଡ଼ିବା ଭୟରେ ସେମାନେ ସମସ୍ତଙ୍କୁ ମୃତ ବୋଲି ଘୋଷଣା କରୁ ନାହାନ୍ତି। ଦିନେ, ୨ ଦିନ ଅନ୍ତରରେ ଜଣେ ଲେଖାଏ ଗୁରୁତରଙ୍କୁ ସେମାନେ ମୃତ ଘୋଷଣା କରୁଛନ୍ତି। ଗତ ୨ ଦିନ ପୂର୍ବେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଆମ ପୁଅ ଆଖି ବୁଜି ସାରିଥିବା କହୁଛନ୍ତି । ଏହାପରେ ଅବଶିଷ୍ଟ ଗୁରୁତରଙ୍କୁ ବି ଏପରି ଭାବେ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବେ ବୋଲି ସେ କହିଛନ୍ତି।

ଏହା ସହିତ ସେ ଅଭିଯୋଗ କରିଛନ୍ତି “ବିସ୍ଫୋରଣ ଦିନ ମୋ ପୁଅର ମୃତ୍ୟୁ ହୋଇଥିଲା। କିନ୍ତୁ ଡାକ୍ତରଖାନା ଏହାକୁ ଲୁଚାଇ ଗତକାଲି ତାଙ୍କ ମୃତ୍ୟୁ ଘୋଷଣା କରିଥିଲା। ସେଥିପାଇଁ ସେମାନେ ମୋତେ ଏହି 6 ଦିନ ମଧ୍ୟରେ ମୋ ପୁଅକୁ ଡାକ୍ତରଖାନାରେ ଦେଖିବା ପାଇଁ ଦେଇ ନାହାଁନ୍ତି।

ଏହି ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରିଥିଲେ। ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନ ଥିବା ବେଳେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ସ୍ତ୍ରୀ ସୁନା। ଏହାପରେ ସୁନାଙ୍କୁ ତାଙ୍କ ବାପଘର ଲୋକେ ନେଇ ଯାଇଥିଲେ। ତେବେ ନୂଆଗାଁସ୍ଥିତ ବାପଘରେ ଥିବା ସୁନା ଏକ କଠୋରି ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଦେଇଥିଲେ।