Posted inଖେଳ

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌ ମନେହେଉଛି। ପ୍ରଥମ ମ୍ୟାଚ୍‌ ଜିତି ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଟି୨୦ ଜିତିଲେ ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇବ। ଆଗକୁ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଏହି ସିରିଜ ବିଜୟ ଭାରତର ଆତ୍ମବିଶ୍ୱାସକୁ ଆହୁରି ବଢାଇବ।
କେତେଜଣ ଭାରତୀୟ ଖେଳାଳି ଇତିମଧ୍ୟରେ ଟେଷ୍ଟ ଫର୍ମାଟ ପାଇଁ ମଧ୍ୟ ଅଭ୍ୟାସ କରିଆସୁଛନ୍ତି। କାନ୍‌ବେରାରେ ଦୁଇଟି ସୀମିତ ଓଭର ମ୍ୟାଚ୍‌ ଜିତିବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଏସ୍‌ସିଜିରେ ଖେଳାଯିବାକୁ ଥିବା ବାକି ଦୁଇଟି ଟି୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଛି। ଭାରତର ପ୍ରଥମ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ୟୁଜବେନ୍ଦ୍ର ଚହଲ ଜବରଦସ୍ତ ବୋଲିଂ କରି ପ୍ରଥମ ଟି୨୦ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏବେ ପୂରା ଆତ୍ମବିଶ୍ୱାସର ସହ ଭାରତ ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ତେବେ ଜାଡେଜାଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। ଜାଡେଜା ୨୩ ବଲରୁ ଦ୍ରୁତ ୪୪ ରନକରି ଭାରତକୁ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ।
୫ଜଣ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରନ୍ତୁ ଓ ଦଳ ଲୋୟର ଅର୍ଡର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର ନ କରୁ ବୋଲି କୋହଲି ଚାହିଁବେ। ଏହା ହେଲେ ଭାରତ ଭଲ ଟାର୍ଗେଟ ଧାର୍ଯ୍ୟ କରିବ କିମ୍ବା ବଡ଼ ଟାର୍ଗେଟର ଚେଜ୍‌ ମଧ୍ୟ କରିବ। ସୁପରଫର୍ମରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ସମ୍ପୂର୍ଣ୍ଣ ରୂପେ ଫିଟ୍‌ ନାହାନ୍ତି ଓ ଏହା ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ। ପୁଣି ତାରକା ଓପନର ଡେଭିଡ୍‌ ଓ୍ବାର୍ନର ଗ୍ରୋନ୍‌ ଇଞ୍ଜୁରି କାରଣରୁ ଅନୁପସ୍ଥିତ ରହିବେ। ତେଣୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ଯେଉଁ ମୁମେଣ୍ଟମ ହାସଲ କରିଥିଲା ତାହା ଆଉ ରହିନାହିଁ। ଓପନର ଡି’ଆର୍କି ଶର୍ଟ ଫର୍ମରେ ନାହାନ୍ତି। ଗତ ମ୍ୟାଚ୍‌ରେ ଚହଲ ତାଙ୍କ ଦୁର୍ବଳତା ପଦାରେ ପକାଇଛନ୍ତି। ପୁଣି ଷ୍ଟିଭ୍‌ ସ୍ମିଥ୍‌ ଟି୨୦ରେ ସେତେଟା ଶ୍ରେଷ୍ଠତା ପ୍ରତିପାଦନ କରିପାରି ନାହାନ୍ତି। ତେବେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ସେହିପରି ଧୂଆଁଧାର ବ୍ୟାଟିଂ କରୁଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଅନ୍ତିମ ଦିନିକିଆ ଓ ପ୍ରଥମ ଟି୨୦ରେ ଯଶପ୍ରୀତ ବୁମ୍‌ରା ଓ ଟି. ନଟରାଜନଙ୍କୁ ଖେଳିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ତାଙ୍କ ଦୁର୍ବଳତା ପଦାରେ ପଡିଥିଲା। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସଫଳ ହେଲେ ଭାରତର ଅଧା କାର୍ଯ୍ୟ ସମ୍ପାଦିତ ହେବ। ପ୍ରଥମ ଦିନିକିଆରେ ଶତକ ହାସଲ କରିବା ପରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଶନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ଅଧିନାୟକ କୋହଲି ମଧ୍ୟ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ଯଦି ସେ ଏକ ବଡ଼ ଇନିଂସ ଖେଳନ୍ତି ତା’ହେଲେ ଭାରତର ସମସ୍ୟା ଯଥେଷ୍ଟ ପରିମାଣରେ କମିବ। ମିଡିଲ ଅର୍ଡରରେ ମନୀଷ ପାଣ୍ଡେ ପୁଣି ସୁଯୋଗ ମିଳିବ କି ନା ତାହା ଦେଖିବାକୁ ବାକି ରହିଲା। ସ୍ପିନର ଆଡାମ ଜାମ୍ପାଙ୍କୁ ଖେଳିବାରେ ସେ ବେଶ୍‌ ସହଜ ନ ଥିଲେ ଓ ଅଯଥାରେ କେତେକ ଡଟ୍‌ ବଲ୍‌ଗୁଡିକ ଦେଇଥିଲେ। ମନୀଷ ଓ ଶ୍ରେୟାସ ଆୟାର ସମାନ ପ୍ରକାର ଖେଳାଳି। ତେଣୁ କାଉଣ୍ଟର ଆଟାକ କରିବା ପୂର୍ବରୁ ଏହି ଦୁଇଜଣ କିଛି ସମୟ ଆବଶ୍ୟକ କରିଥାନ୍ତି। ସେହିପରି ସଞ୍ଜୁ ସାମସନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅନ୍ତିମ ୬ ଓଭରରେ ବ୍ୟବହାର କରିହେବ। ଯଦିଓ ସାମସନ ଖେଳିଥିବା କେତୋଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସେତେଟା ପ୍ରଭାବୀ ମନେ ହୋଇନାହାନ୍ତି।
ଅପରକ୍ଷରେ ଅଷ୍ଟ୍ରେଲିଆ ଦଳରେ ଅଭିଜ୍ଞ ଟେଷ୍ଟ ସ୍ପୋଶାଲିଷ୍ଟ ତଥା ସ୍ପିନର ନାଥନ ଲିୟନଙ୍କୁ ଟି୨୦ ଦଳରେ ସାମିଲ କରାଯାଇଛି। ମିଚେଲ ସ୍ବେପସନଙ୍କ ବଦଳରେ ତାଙ୍କ ଅନ୍ତିମ ଏକାଦଶରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ବେପସନ କିନ୍ତୁ କୋହଲିଙ୍କୁ ଆଉଟ କରି ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥିଲେ। ସେ ୨ ଓଭରରେ ଅଧିକ ଶର୍ଟ ବଲ୍‌ ପକାଇଥିଲେ। ସେ ଅଷ୍ଟ୍ରେଲିଆର ସମସ୍ୟା ବଢାଇପାରନ୍ତି। ପାଓ୍ବାର ପ୍ଲେରେ ଲିୟନଙ୍କୁ ବୋଲିଂର ସୁଯୋଗ ଦିଆଯାଇପାରେ। ଯେଉଁଭଳି ପ୍ରଥମ ୬ ଓଭରରେ ଓ୍ବାଶିଂଟନ ସୁନ୍ଦର ଭାରତ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏସ୍‌ସିଜିର ଉଇକେଟ ଫ୍ଲାଟ ରହିବ। ତେଣୁ ମ୍ୟାଚ୍‌ ହାଇସ୍କୋରିଂ ହେବାର ସମ୍ଭାବନା ରହିଛି। ପାଗ ମଧ୍ୟ ସଫା ରହିବ। ୧୦ଟି ଟି୨୦ରେ ଭାରତ ଅପରାଜେୟ ରହିଛି। ଏଥିରେ ଅବଶ୍ୟ ଗୋଟିଏ ବିନା ଫଳାଫଳ ଓ ଦୁଇଟି ଟାଇ ମ୍ୟାଚ୍‌ ରହିଛି। ଦୁଇ ବର୍ଷ ତଳେ ଏହି ଗ୍ରାଉଣ୍ଡରେ ଭାରତ ୧୬୫ ରନ୍‌ର ଟାର୍ଗେଟ ଚେଜ୍‌ କରି ସିରିଜକୁ ସମାନସ୍ତରକୁ ଆଣିଥିଲା। ରବିବାର ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ଓ ଏଥିରେ ଜବରଦସ୍ତ ରୋମଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ (ଉପ- ଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ସଞ୍ଜୁ ସାମସନ (ଉଇକେଟକିପର), ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଦୀପକ ଚହର, ଟି. ନଟରାଜନ ଓ ଶାର୍ଦ୍ଦୁଳ ଠାକୁର।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧନାୟକ), ସିନ୍‌ ଆବୋଟ, ମିଚେଲ ସ୍ବେପସନ, ଆଲେକ୍ସ କାରେ, ନାଥନ ଲିୟନ, ଜୋଶ ହାଜେଲଉଡ୍‌, ମୋଇସେସ୍‌ ହେନେରିକ୍ସ, ମାର୍ନସ ଲାବୁସେନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ଡାନିଏଲ ସାମ୍ସ, କେନ୍‌ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ମାଥ୍ୟୁ ଓ୍ବେଡ୍‌, ଡି’ଆର୍କି ଶର୍ଟ ଓ ଆଡାମ ଜାମ୍ପା।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧. ୪୦
ଭେନ୍ୟୁ: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ
ପ୍ରସାରଣ: ସୋନି ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri