ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନିର୍ଦ୍ଧାରଣ ହେବ ୩ ହଜାର ପ୍ରାର୍ଥୀଙ୍କ ଭାଗ୍ୟ

ବାରିପଦା ଅଫିସ,୧୭।୨: ୧୮ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାର ୫ଟି ବ୍ଲକରେ ଭୋଟ ଗ୍ରହଣ ହେବ। ଏନେଇ ୩ ହଜାର ୩ ପ୍ରାର୍ଥୀଙ୍କ ଭାଗ୍ୟ ୪ ଲକ୍ଷ ୧୬ ହଜାର ୩୧୪ ଭୋଟରଙ୍କ ହାତରେ ରହିଛି।

ଜିଲାର ୨୬ଟି ବ୍ଳକ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭ଟି ବ୍ଳକରେ ନିର୍ବାଚନ ଶେଷ ହୋଇଛି। କପ୍ତିପଦା, ବାରିପଦା, ବେତନଟୀ, ଶୁଳିଆପଦା ଓ ସାରସକଣା ବ୍ଳକରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ୫ଟି ବ୍ଲକରେ ନିର୍ବାଚନୀ ପ୍ରଚାର ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି। ୧୨ଟି ଜିଲା ପରିଷଦ ସମେତ ୯୪ ସରପଞ୍ଚ ଓ ସମିତିସଭ୍ୟ ଏବଂ ୧୨୭୯ ୱାର୍ଡ଼ସଭ୍ୟ ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି ଆସନଗୁଡ଼ିକରେ ଯଥାକ୍ରମେ ୫୧, ୪୨୮, ୩୮୫ ଓ ୨୧୩୯ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୩୦୦୩ ପ୍ରାର୍ଥୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟର ନେତା ବାଛିବେ। ଏନେଇ ୧୨୭୯ଟି ମତଦାନ କେନ୍ଦ୍ର ପ୍ରସ୍ତୁତି ସରିଥିବା ବେଳେ ନିୟୋଜିତ ପୋଲିଂ ଅଧିକାରୀ ଓ କର୍ମଚାରୀଗଣ ଆବଶ୍ୟକ ସରଞ୍ଜାମ ସହିତ ବୁଥରେ ପହଞ୍ଚିଛନ୍ତି । ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସମ୍ପନ୍ନ ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପରେ ଭୋଟବାକ୍ସ ବ୍ଲକ ମୁଖ୍ୟାଳୟ ଷ୍ଟ୍ରଙ୍ଗରୁମରେ ରଖାଯିବ  । ଚଳିତ ମାସ ୨୬, ୨୭ ଓ ୨୮ ତାରିଖରେ ବ୍ଲକ କାର୍ଯ୍ୟାଳୟରେ ଭୋଟଗଣତି ହେବ।