ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କୋଲକାତା,୨୯ା୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍‌ରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ ସୁବିଧା କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଲାଗି କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭୋଟରମାନଙ୍କ ମନୋବଳ ବଢ଼ାଇବା ପାଇଁ ସୁରକ୍ଷା ବଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରୁଟ୍‌ ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ୧୫୨ ଆସନ ପାଇଁ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୯୩ ପ୍ରତିଶତରୁ ଅଧିକ ରହିଥିଲା। ତେବେ ଏହି ପର୍ଯ୍ୟାୟରେ କେତେକ ସ୍ଥାନରେ ଉତ୍ତେଜନା ଓ ହିଂସାକାଣ୍ଡ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଯେପରି ଶାନ୍ତିପୂର୍ଣ୍ଣ ହେବ, ସେଥିପାଇଁ ନିର୍ବାଚନ କମିଶନ ସମସ୍ତ ପଦକ୍ଷେପ ନେଇଛନ୍ତି। ଏଥର ମଧ୍ୟ ମତଦାନ ହାର ଅଧିକ ରହିବ ବୋଲି ଆଶା କରାଯାଉଛି। ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପରେ ମେ’ ୪ରେ ଏକସଙ୍ଗେ କେରଳମ୍‌, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀର ଭୋଟଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ।

Share