ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲାର ଜ୍ୟୋତିର୍ମୟୀ ପଣ୍ଡା(୩୮)। ଏସ୍‌ସିବିରେ ଏହା ଦ୍ୱିତୀୟ ଏକ୍‌ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଜ୍ୟୋତିର୍ମୟୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା। ଫଳରେ ଚିକିତ୍ସା ଲାଗି ତାଙ୍କୁ ଗତ ୨୯ ତାରିଖରେ ଏସ୍‌ସିବିର ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସି ନ ଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଗନ୍ନାଥ ପ୍ରଧାନ(୩୨)। ଏବେ ଆଉ ୨ ଜଣ ରୋଗୀ କଟକ ଜିଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାୟକ ଓ ସ୍ବାସ୍ଥ୍ୟ ବିଭାଗର ଡେପୁଟି ସେକ୍ରେଟାରି ଦିଲୀପ କୁମାର ଅଗ୍ରୱାଲ ଏକ୍‌ମୋ ସପୋର୍ଟରେ ଚିକିତ୍ସିତ ହେଉଛନ୍ତି।