Categories: ଜାତୀୟ

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ …

ନୂଆଦିଲ୍ଲୀ, ୧୩।୩ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପାଳିରେ ସାଧାରଣ ବଜେଟ ଏବଂ ଫାଇନାନ୍ସ ବିଲ ପାରିତ ହେବା ସରକାରଙ୍କର ସବୁଠାରୁ ବଡ ପ୍ରାଥମିକତା। ଅଧିବେଶନର ପ୍ରଥମ ପାଳିରେ, ଉଭୟ ଗୃହର ପ୍ରକ୍ରିୟା କରୋନା ମହାମାରୀ ଯୋଗୁ ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାର କାର୍ଯ୍ୟ ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇଥିବାବେଳେ ଲୋକ ସଭାର କାର୍ଯ୍ୟ ଅପରାହ୍ନ ୪ ଟାରୁ ଆରମ୍ଭ ହୋଇଥିଲା।

କରୋନା ମାମଲା ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଏବଂ ପରିସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରି ଆସୁଥିବାରୁ ପାର୍ଲାମେଣ୍ଟର ଉଭୟ ଗୃହର କାର୍ଯ୍ୟ ପୂର୍ବପରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଗୃହର କାର୍ଯ୍ୟ ପାରମ୍ପାରିକ ସମୟରେ ପୂର୍ବାହ୍ନ ୧୧ ଟାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଉଭୟ ଗୃହର କାର୍ଯ୍ୟର ସମୟ ପୂର୍ବାହ୍ନ ୧୧ ଟାରୁ ୧ ଟା ଏବଂ ତା’ପରେ ଅପରାହ୍ନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି।

ଏହାଦ୍ୱାରା, ଏଥର ଉଭୟ ଗୃହରେ ପ୍ରକ୍ରିୟା ଅତି କମରେ ଏକ ଘଣ୍ଟା ଅଧିକ ପର୍ଯ୍ୟନ୍ତ ଚାଲିବାକୁ ସକ୍ଷମ ହେବ । ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଉଭୟ ଗୃହର ୧୯ ଟି ସିଟିଂ ହେବ। ଏହାର ଅର୍ଥ ହେଉଛି ଅଧିବେଶନର ପ୍ରଥମ ଭାଗ ତୁଳନାରେ ଉଭୟ ଗୃହରେ ୧୯ ଘଣ୍ଟା ଅଧିକ କାର୍ଯ୍ୟ ହେବ। ରାଜ୍ୟ ସଭା ସୂତ୍ର ଅନୁଯାୟୀ, ସରକାରୀ କାର୍ଯ୍ୟ ଲାଗି ଗୃହରେ ୬୪ ଘଣ୍ଟାରୁ ଅଧିକ ସମୟ ଉପଲବ୍ଧ ହେବ। ପ୍ରତିଦିନ ପୂର୍ବ ପରି ୨ ଘଣ୍ଟା ସମୟ ପ୍ରଶ୍ନ କାଳ ଏବଂ ଶୂନ୍ୟକାଳ ପାଇଁ ଆବଣ୍ଟିତ କରାଯାଇଛି।

ସମ୍ପ୍ରତି ବିଧାନସଭା ନିର୍ବାଚନରେ ପୁନର୍ବାର ବିଜୟ ହାସଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ କୌଣସି ଆହ୍ବାନ ନାହିଁ। ତେବେ ବିରୋଧୀ ଦଳ ସରକାରଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ୟୁକ୍ରେନ ସଙ୍କଟରୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ଘେରି ରହିବାକୁ ଚେଷ୍ଟା କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share