ଭିମ୍‌ସାରରେ ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ

ସମ୍ବଲପୁର,୧୦ା୭(ବ୍ୟୁରୋ): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ ସେଣ୍ଟର (ଭିମ୍‌ସାର)ରେ ଆଉ ଏକ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବ। ଏହା ସ୍ବତନ୍ତ୍ର ଭାବେ ଯଷ୍ମା ଓ ଛାତି ବିଭାଗ ମେଡିସିନ ୱାର୍ଡ ପାଇଁ କାର୍ଯ୍ୟ କରିବ। ପ୍ରାରମ୍ଭିକ ଭାବେ ଭିତ୍ତିଭୂମି କାମ ଆରମ୍ଭ ହୋଇଛି। ପ୍ଲାଣ୍ଟ ପାଇଁ ଆବଶ୍ୟକ ଯନ୍ତ୍ରାଂଶ କିଣିବା ପ୍ରକ୍ରିୟା ଚାଲିଛି। ଅଗଷ୍ଟ ଶେଷ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଷ୍ଟୋର ମେଡିକାଲ ଅଧିକାରୀ ଡାକ୍ତର ଅଶୋକ ପାଣିଗ୍ରାହୀ କହିଛନ୍ତି, ଭିମ୍‌ସାରର ଏହି ବିଭାଗ ୯୦ ଶଯ୍ୟା ବିଶିଷ୍ଟ ରହିଛି। ପ୍ରାୟ ସମୟରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନି ପ୍ରାୟ ୧୦୦ ମେଗା ସିଲିଣ୍ଡର ଆବଶ୍ୟକ ହୋଇଥାଏ। ଏବେ ଅକ୍ସିଜେନ୍‌ ଘରୋଇ କମ୍ପାନୀରୁ କିଣିବାକୁ ପଡୁଛି। ଝାରସୁଗୁଡା ଜିଲାରେ ଥିବା ରିଫିଲିଂ ପ୍ଲାଣ୍ଟ ଓ ସମ୍ବଲପୁରର ଜଣେ ଡିଲର ଯୋଗାଇ ଦେଉଛନ୍ତି। ୨ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଅକ୍ସିଜେନ୍‌ ଅଭାବ ପୂରଣ ହେବ। ବିଭାଗ ନିକଟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ଜାଗା ଚିହ୍ନଟ ହୋଇ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ଲାଣ୍ଟରୁ ସିଧାସଳଖ ପାଇପ୍‌ ଯୋଗେ ଅକ୍ସିଜେନ୍‌ ବିଭାଗକୁ ଯିବ। ଏବେ ବ୍ୟବାହର ହେଉଥିବା ଜମ୍ବୋ ସିଲିଣ୍ଡର ଆଉ ସମସ୍ୟା ହେବ ନାହିଁ। ସେହିପରି ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଅକ୍ସିଜେନ୍‌ ପ୍ଲାଣ୍ଟ କାମ ଆରମ୍ଭ ହୋଇଯାଇଛି। ଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ। ଏହା ବିଶେଷ ଭାବେ ଆଜ୍‌ମା ଭଳି ଶ୍ୱାସଜନିତ ରୋଗୀମାନଙ୍କୁ ଲାଭଦାୟକ ହେବ। ପୂର୍ବରୁ ଭିମ୍‌ସାରରେ କୋଭିଡ୍‌ ମେଡିକାଲ ପାଇଁ ସ୍ବତନ୍ତ୍ର ଭାବେ ୬୦୦ ଲିଟର ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହୋଇଛି। ଏହା ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ ହେବ। ସୂଚନାଯୋଗ୍ୟ ଭିମ୍‌ସାରରେ ସମ୍ବଲପୁର ସମେତ ପଶ୍ଚିମ ଓଡିଶା ଓ ପଡୋଶୀ ରାଜ୍ୟ ଛତିଶଗଡ, ଝାଡଖଣ୍ଡର ରୋଗୀମାନେ ନିର୍ଭର କରନ୍ତି। ଏବେ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।