ଇରାନରେ ପୁଣି ଜଣେ ଆନ୍ଦୋଳନକାରୀଙ୍କୁ ଫାଶୀ

ଦୁବାଇ,୧୨।୧୨: ଇରାନରେ ଆଉ ଜଣେ ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ସୋମବାର ସରକାର ଫାଶୀ ଦେଇଛନ୍ତି । ସେ ହେଲେ ୨୪ ବର୍ଷୀୟ ଯୁବକ ମାଜିଦ୍ରେଜା ରହନାଭାର୍ଡ ‘ଇଶ୍ବରଙ୍କ ବିରୋଧରେ ଯୁଦ୍ଧ’ ଅପରାଧ ପାଇଁ ତାଙ୍କୁ ମାସାଦ ସହରର ଏକ ସର୍ବସାଧାରଣ ସ୍ଥାନରେ ଫାଶୀ ଦିଆଯାଇଛି। ତାଙ୍କ ବିରୋଧରେ ୨ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗରେ ମାଜିଦ୍ରେଜାଙ୍କୁ ନଭେମ୍ବର ୨୯ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସୋମବାର ତାଙ୍କୁ ଫାଶୀ ଦିଆଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୮ରେ ପ୍ରଥମ ଥର ପାଇଁ କ୍ରାନ୍ତିକାରୀ ମୋହସେନ ଶେକରିଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଇରାନ ସରକାର ବର୍ତ୍ତମାନ ସୁଦ୍ଧା ୬ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏଣୁ ଆଗାମୀ ଦିନରେ ଆହୁରି କିଛି ଲୋକଙ୍କୁ ଫାଶୀ ଦିଆଯାଇପାରେ। ଇରାନ ସରକାରଙ୍କ ଏଭଳି ପଦକ୍ଷେପକୁ ବିଶ୍ବରେ ନିନ୍ଦା କରାଯାଉଛି । କିନ୍ତୁ ଏହା ନିଜର ଅନ୍ତରୀଣ ମାମଲା ବୋଲି ତେହେରାନ ପକ୍ଷରୁ କୁହାଯାଇଛି।

ଇରାନରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ଦ୍ୱିତୀୟ ମୃତ୍ୟୁଦଣ୍ଡ। ସେପ୍ଟେମ୍ବର ୧୬ରେ ୨୨ ବର୍ଷୀୟ କୁର୍ଦ୍ଦିଶ ମହିଳା ମହସା ଅମିନିଙ୍କ ହାଜତ ମୃତ୍ୟୁ ପରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା।

Share